ଜେଲେନ୍‌ସ୍କିଙ୍କୁ ହ୍ୱାଇଟ୍‌ ହାଉସ୍‌କୁ ଡାକି ଅପମାନିତ କଲେ ଟ୍ରମ୍ପ

ଯୁଦ୍ଧ ବନ୍ଦ କରିବା ପାଇଁ ରାଜି ନହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଅଧସ୍ତନ ଅଧିକାରୀଙ୍କ ଜରିଆରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନ୍‌ସ୍କିଙ୍କୁ ଅପମାନିତ କରି ହ୍ୱାଇଟ୍‌ ହାଉସ୍‌ରୁ ତଡ଼ି ଦେଇଛନ୍ତି । ରାଗ ତମତମ ହୋଇ ଟ୍ରମ୍ପ ତାଙ୍କ କର୍ମଚାରୀଙ୍କୁ ଡାକି ଜେଲେନ୍‌ସ୍କିଙ୍କ ପାଇଁ ଉଦ୍ଦିଷ୍ଟ ଚା’ ପାତ୍ର ହଟାଇ ନେବାକୁ ଆଦେଶ ଦେଇଥିଲେ । ଟ୍ରମ୍ପଙ୍କ ନିକଟରୁ ଏଭଳି ଆଚରଣ କଳ୍ପନା କରି ନଥିଲେ ଜେଲେନ୍‌ସ୍କି । ଗଭୀର ଚିନ୍ତାରେ ୟୁକ୍ରେନକୁ ଫେରିବା ଛଡ଼ା ତାଙ୍କ ନିକଟରେ ବିକଳ୍ପ କିଛି ନଥିଲା । ଶୁକ୍ରବାର ଦିନ ହ୍ୱାଇଟ୍‌ ହାଉସ୍‌ରେ ଟ୍ରମ୍ପ ଓ ଜେଲେନ୍‌ସ୍କିଙ୍କ ଆଲୋଚନା ବେଶ ଶାନ୍ତିପୂର୍ଣ୍ଣ ଥିଲା ।

ମାତ୍ର ହଠାତ୍‌ ଟମ୍ପଙ୍କ ସ୍ୱର ବଦଳି ଯାଇଥିଲା । ତାଙ୍କ କଥାଗୁଡ଼ିକ ଜେଲେନ୍‌ସ୍କିଙ୍କ ଶରୀରକୁ ବାଣ ପରି ବିଦ୍ଧ କରୁଥିଲା । ଟମ୍ପଙ୍କର ଗମ୍ଭୀର କଥାଗୁଡ଼ିକର ଜବାବ ବେଶ ଥଣ୍ଡା ମିଜାଜରେ ଦେଉଥିଲେ ଜେଲେନ୍‌ସ୍କି । ଦୁଇନେତାଙ୍କ ମିଳିତ ଆଲୋଚନାର କିଛି ଝଲକ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଯାହାକୁ ଦେଖିବା ପରେ ସାରାବିଶ୍ୱ ଚକିତ ହୋଇଯାଇଛି । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଅଭିପ୍ରାୟ ରଖି ଟ୍ରମ୍ପ ଜେଲେନ୍‌ସ୍କିଙ୍କୁ ହ୍ୱାଇଟ୍‌ ହାଉସ୍‌କୁ ଆମନ୍ତ୍ରଣ କରିଥିଲେ । ଜେଲେନ୍‌ସ୍କିଙ୍କ ସହିତ ଉଚ୍ଚବାଚ ସାରି ଟ୍ରମ୍ପ ତୁରନ୍ତ ସ୍ୱରାଷ୍ଟ୍ର ସଚିବ ମାର୍କୋ ରୁବିଓ, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ୱାଲଜ୍‌ଙ୍କ ସମେତ କିଛି ବରିଷ୍ଠ ଅଧିକାରୀଙ୍କ ସହିତ କିଛି ଗୋଟିଏ ଆଲୋଚନା କରୁଥିଲେ ।

ଟ୍ରମ୍ପଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ରୋକଠୋକ୍‌ ମନା କରି ଦେଇଥିଲେ ଜେଲେନ୍‌ସ୍କି । ଏପରି ଅଭାବନୀୟ ଘଟଣା ଦେଖି ଜେଲେନ୍‌ସ୍କିଙ୍କ ସହିତ ହ୍ୱାଇଟ୍‌ ହାଉସ୍‌କୁ ଯାଇଥିବା ୟୁକ୍ରେନ ପ୍ରତିନିଧି ଦଳ ଛାନିଆ ହୋଇ ଯାଇଥିଲେ ।   ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଅପେକ୍ଷା କରିବା ଅସମ୍ଭବ ଜାଣି ଜେଲେନ୍‌ସ୍କି ୟୁକ୍ରେନ୍‌ ଫେରି ଯାଇଛନ୍ତି । ଆନ୍ତର୍ଜାତିକ ରାଜନୀତିକୁ ଅତି ନିକଟରୁ ଦେଖି ଆସୁଥିବା କିଛି କୂଟନୀତିଜ୍ଞଙ୍କ ମତରେ ରୁଷିଆ ପ୍ରଥମେ ହମ୍‌ଲା କରିଥିବା ଦୃଷ୍ଟିରୁ ସେ ହିଁ ପ୍ରଥମେ ଯୁଦ୍ଧ ବନ୍ଦ କରିବା ଜରୁରୀ ।