ଆଜି ଲୋକସଭାରେ ଦୁଇଟି ବିଲ୍ ପାସ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଭିନ୍ନ ଭିନ୍ନ ସମୟରେ ବସିଛି ଲୋକସଭା ଏବଂ ରାଜ୍ୟସଭା। ଇତିମଧ୍ୟରେ ଆଜି ଲୋକସଭାରେ ୨ଟି ବିଲ୍ ପାରିତ ହୋଇଛି।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ କହିବା ମୁତାବକ ଆଜି ୪୦୦ ଜଣ ସାଂସଦ ଲୋକସଭା ଅଧିବେଶନ ବେଳେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୮ଟି ବିଲ୍ ଉପସ୍ଥାପିତ କରିଥିଲେ କେନ୍ଦ୍ର ସରକାର। ଯାହା ମଧ୍ୟରୁ ୨ଟି ବିଲ୍ ଲୋକସଭାରେ ପାରିତ ହୋଇଛି। ବଳକା ୬ଟି ଉପରେ ଅଧିକ ଆଲୋଚନା ହେବାକୁ ଅଛି।

ପାସ୍ ହୋଇଥିବା ବିଲ୍ ଦୁଇଟି ହେଉଛି ‘ଦ ନ୍ୟାସନାଲ୍ କମିଶନ ଫର୍ ହୋମିଓପାଥି ବିଲ୍, ୨୦୨୦’ ଏବଂ ‘ଦ ନ୍ୟାସନାଲ୍ କମିଶନ ଫର୍ ଇଣ୍ଡିଆନ୍ ସିଷ୍ଟମ୍ ଅଫ୍ ମେଡ଼ିସିନ୍ ବିଲ୍, ୨୦୨୦’ ।

ସୂଚନାଯୋଗ୍ୟ, ପ୍ରଥମ ଦିନରେ ଲୋକସଭା ଅଧିବେଶନ ସକାଳ ୯ରୁ ଆରମ୍ଭ ହୋଇ ମଧ୍ୟାନ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଆସନ୍ତାକାଲିଠୁ ସମୟ ବଦଳି ଅପରାହ୍ନ ୩ଟାରୁ ୭ ଟା ଯାଏଁ ଚାଲିବ। ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଅବଧି ରହିଥିବା ବେଳେ ଏଥିରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିବ। ଚଳିତ ଥର ଶନିବାର ଓ ରବିବାର ଛୁଟି ରହିବ ନାହିଁ ।

ଏହି ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୧୧ଟି ପ୍ରମୁଖ ବିଲ୍ ପାରିତ କରିବାଇ ଲକ୍ଷ୍ୟ ରଖିଛନ୍ତି। ଯେଉଁଥିରେ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ହେଉଥିବା ହିଂସାକୁ ରୋକିବା ଏବଂ ଦଣ୍ଡ ନିୟମ ପ୍ରଣୟନର ବିଲଟି ରହିଛି।