ରୁଷ୍‌ର କ୍ଷେପଣାସ୍ତ୍ର ବର୍ଷାକୁ ୟୁକ୍ରେନ୍‌ର ସମାଲୋଚନା

ନୂଆଦିଲ୍ଲୀ: ଗତ ଶନିବାରୁ ଠାରୁ ୟୁକ୍ରେନ୍‌ର ଚତୁର୍ଦିଗରେ ରୁଷ୍‌ କ୍ଷେପଣାସ୍ତ୍ର ବର୍ଷା କରିବାରେ ଲାଗିଛି। ଏସବୁ ଯୁଦ୍ଧାଭ୍ୟାସ ପାଇଁ କରାଯାଉଥିବା ରୁଷ୍‌ ମତ ଦେଇଛି। ରୁଷ୍‌ର ଏପରି ଆଭିମୁଖ୍ୟ ଦେଖି ୟୁକ୍ରେନ୍‌ ଥରି ଉଠିଛି। ଆମେରିକା ଉପରୁ ଭରସା ତୁଟାଇଛି ୟୁକ୍ରେନ୍‌। ରୁଷ୍‌ ସପକ୍ଷବାଦୀ ଗୋଷ୍ଠୀ ୟୁକ୍ରେନ୍‌ରେ ଗୁଳି ଚାଳନା ଜାରି ରଖିଥିବାବେଳେ ଆମେରିକା ଓ ‘ନାଟୋ’ ସେନା ଚୁପ୍‌ଚାପ୍‌ ବସିରହିଛନ୍ତି। କେବଳ ପ୍ରତିଶ୍ରୁତି ଦେଲେ ହେବନି ରୁଷ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଦିମିର ଜେଲେସ୍କି କହିଛନ୍ତି।

ଆମେରିକା ଓ ୟୁକ୍ରେନ ମଧ୍ୟରେ ସବୁକିଛି ଠିକ୍‌ ନଥିବା ଏଥିରୁ ସ୍ପଷ୍ଟ ହୋଇଛି। କ’ଣ ୟୁକ୍ରେନ୍‌ ଧୂଳିସାତ୍‌ ହେଲେ ଅସ୍ତ୍ର ଉଠାଇବ ବୋଲି ଆକ୍ରୋଶ ଭାବେ ଆମେରିକାକୁ କହିଛନ୍ତି। ଶନିବାର ୨୪ ଘଣ୍ଟା ରୁଷ୍‌ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରି ଚାଲିଥିଲେ ହେଁ ଆମେରିକା ଓ ‘ନା’ଟୋ ସେନା କୌଣସି ଜବାବ ଦେଇ ନଥିଲେ। ଏହାଦ୍ବାରା ରୁ​‌ଷ୍‌ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି। ରୁଷ୍‌ ବିରୋଧରେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଗୁଡ଼ିକ କଠୋର ପ୍ରତିବନ୍ଧ ଲଗାଇବାକୁ ୟୁକ୍ରେନ ଦାବି କରିଛି।

ଏପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ କହିଛନ୍ତି, ରୁଷ୍‌ ଦ୍ବିତୀୟ ବିଶ୍ବଯୁଦ୍ଧର ପୁନରାବୃତ୍ତି ଚାହାନ୍ତି। ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଯୁଦ୍ଧ ଖୋର ବୋଲି ସମ୍ବୋଧନ କରି ସେ କହିଛନ୍ତି ସବୁଠାରୁ ବଡ଼ ଧରଣର ଆକ୍ରମଣ ପାଇଁ ସେ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ୟୁକ୍ରେନ ବିବାଦ ନେଇ ପୁଟିନ୍‌ ସହ ଆଲୋଚନା କରିଛନ୍ତି। ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ କ୍ରିମିଆର ଲେକ୍‌ ଡୋନୁଜଲାଭସ୍ଥିତ ପୁରାତନ ଏୟାର ଫିଲ୍ଡରେ ନୂଆ ହେଲିକପ୍ଟର ୟୁନିଟ ପହଞ୍ଚିବାରେ ଲାଗିଛି। ଏହି ଉପଗ୍ରହ ଚିତ୍ର ଫେବୃଆରୀ ୧୮ର ବୋଲି ଜଣାଯାଇଛି। ଏହାସହିତ ବେଲାରୁଷର ଉତ୍ତର ପଶ୍ଚିମ ଲିଡା ଏୟାର ଫିଲ୍ଡରେ ନୂଆ ହେଲିକପ୍ଟର ୟୁନିଟକୁ ମୁତୟନ କରାଯାଇଛି। ସଂପ୍ରତି ପ୍ରାୟ ୫୦ଟି ହେଲିକପ୍ଟର ଏହି ଅଞ୍ଚଳରେ ପହଞ୍ଚିଥିବା ମାକ୍ସାର ସୂତ୍ରରୁ କୁହାଯାଇଛି।