ଲଗାମବିହୀନ ଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ସର୍ବାଧିକ ମରୁଛନ୍ତି

ଦିଲ୍ଲୀ ସଡ଼କ ଦୁର୍ଘଟଣାରେ ସର୍ବାଧିକ ଲୋକ ପ୍ରାଣ ହରାଉ ଥିଲାବେଳେ ଦ୍ୱିତୀୟରେ ଚେନ୍ନାଇ ରହିଛି….

ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ ପ୍ରତିଷ୍ଠାତା ଏନ୍‌ ଆର ନାରାୟଣ ମୂର୍ତିଙ୍କ ଭାଷାରେ ଦିଲ୍ଲୀରେ ଅନୁଶାସନ ବୋଲି କିଛି ନାହିଁ । ଭାରତର ଅନ୍ୟ ସହର ତୁଳନାରେ ଦିଲ୍ଲୀର ଆଇନଶୃଙ୍ଖଳା ବ୍ୟବସ୍ଥା ପୁରାପୁରି ହୁଗୁଳା । ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ନାରାୟଣ ମୂର୍ତି କହିଛନ୍ତି, ମୁଁ କାଲି ବିମାନ ବନ୍ଦର ଯାଇଥିଲି । ଟ୍ରାଫିକ ଛକ ନିକଟରେ ଲାଲବତୀ ଜଳୁଥିଲେ ମଧ୍ୟ ବହୁସଂଖ୍ୟକ କାର, ବାଇକ ଓ ସ୍କୁଟର ଆଗକୁ ମାଡ଼ି ଯାଉଥିଲେ । ଦିଲ୍ଲୀ ରାଜରାସ୍ତାରେ ଟ୍ରାଫିକ୍‌ ନିୟମ ବୋଲି କିଛି ନାହିଁ ।

ସାଧାରଣ ଲୋକମାନେ ଟ୍ରାଫିକ ଛକ ନିକଟରେ ଗୋଟିଏ ଦୁଇମିନିଟ୍‌ ପାଇଁ ଅଟକିବାକୁ ନାରାଜ । ବାପା-ମା’ମାନେ ପିଲାମାନଙ୍କୁ ଟ୍ରାଫିକ୍‌ ନିୟମ ମାନିବା ପାଇଁ ତାଗିଦ୍‌ କରିବା ଦରକାର । କିନ୍ତୁ ଅଭିଭାବକମାନେ ଯୋଉଠି ଲଗାମଛଡ଼ା; ସେଠି ପିଲାମାନଙ୍କୁ ସଚେତନ କରିବ କିଏ? ଦିଲ୍ଲୀରେ ଦ୍ୱିତୀୟ ସର୍ବାଧିକ ଦୁର୍ଘଟଣା ଘଟୁଥିବାର ରିପୋର୍ଟ ରହିଛି ।

ନ୍ୟାସନାଲ କ୍ରାଇମ୍‌ ରେକର୍ଡ ରିପୋର୍ଟ ଅନୁସାରେ ୨୦୨୧ରେ ଦେଶର ୫୩ଟି ବଡ଼ ସହରରେ ୫୫,୪୪୨ ସଡ଼କ ଦୁର୍ଘଟଣା ଘଟିଥିଲା । ତା’ ଭିତରୁ ଚେନ୍ନାଇରେ ୫୦୩୪ ଓ ଦିଲ୍ଲୀରେ ୪୫୦୫ ଦୁର୍ଘଟଣା ହୋଇଥିଲା । ଦିଲ୍ଲୀ ସଡ଼କ ଦୁର୍ଘଟଣାରେ ସର୍ବାଧିକ ଲୋକ ପ୍ରାଣ ହରାଉ ଥିଲାବେଳେ ଦ୍ୱିତୀୟରେ ଚେନ୍ନାଇ ରହିଛି । ୨୦୨୧ରେ ଦିଲ୍ଲୀରେ ୧୨୩୯ ଲୋକ ସଡ଼କ ଦୁର୍ଘଟଣାରେ ମରିଥିଲା ବେଳେ ଚେନ୍ନାଇରେ ୯୯୮ ଜଣ ମରିଥିଲେ ।