ଜାତିସଂଘ ସୁରକ୍ଷା ପରିଷଦରେ ଆବଶ୍ୟକ ଜରୁରୀ ଓ ବ୍ୟାପକ ସଂସ୍କାର

କିନ୍ତୁ ବର୍ତ୍ତମାନର ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ନଆସିବା ଏହି ସବୁ ପ୍ରସଙ୍ଗରେ ସମସ୍ୟା ସୃଷ୍ଟି କରୁଛି….

ନୂଆଦିଲ୍ଲୀ: ବର୍ତ୍ତମାନର ବିଶ୍ୱକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘରେ ଜରୁରୀ ଓ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି । ଜାତିଂସଘର ସୁରକ୍ଷା ପରିଷଦରେ ଏହି ସଂସ୍କାର ଆସିବା ଫଳରେ ବର୍ତ୍ତମାନର ବିକାଶଶୀଳ ବିଶ୍ୱର ଆକାଂକ୍ଷା ଓ ଦୃଷ୍ଟିକୋଣର ପ୍ରତିଫଳନ ହୋଇପାରିବ ଏକ ଯୁଗ୍ମ ବିବୃତ୍ତିରେ ଭାରତ କହିଛି । ଭାରତ ସମେତ ମୋଟ ୩୨ ଦେଶ ଏହି ସଂସ୍କାର ପାଇଁ ଦାବି କରି ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହି ଦେଶଗୁଡିକ ଜାରି କରିଥିବା ମିଳିତ ଘୋଷଣାନାମାରେ ପ୍ରକାଶ କରିଛନ୍ତି, ଜାତିଂଘର ସୁରକ୍ଷା ପରିଷଦ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଏକ ପ୍ରମୁଖ ଅଙ୍ଗ ଭାବେ କାର୍ଯ୍ୟ ଜାରି ରଖିଛି ।

ତେଣୁ ବର୍ତ୍ତମାନର ବୈଶ୍ୱିକ ସ୍ଥିତିକୁ ଲକ୍ଷ୍ୟ କଲେ ବିକାଶଶୀଳ ଦେଶଙ୍କ ଦୃଷ୍ଟିକୋଣ ଓ ସେମାନଙ୍କ ଆକାଂକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ ହେବ । ତେଣୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ଜରୁରୀ ଓ ବ୍ୟାପକ ସୁଧାରମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାର ସମୟ ଆସିଛି ବୋଲି ମିଳିତ ବିବୃତ୍ତିରେ ମତ ପ୍ରକାଶ ପାଇଛି ।

ସାମ୍ପ୍ରତିକ ବିଶ୍ୱରେ ଦେଖିବାକୁ ମିଳିଥିବା ବିକାଶ ପ୍ରତି ଆହ୍ୱାନ, ଗରିବୀ, ମହାମାରୀ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଖାଦ୍ୟ ସୁରକ୍ଷା, ଆଭ୍ୟନ୍ତରୀଣ ସଙ୍କଟ ଓ ଦ୍ୱନ୍ଦ୍ୱ ଆଦି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ନିରପେକ୍ଷ ଭାବେ ସମାଧାନର ବାଟ ଖୋଜିବାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନର ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ନଆସିବା ଏହି ସବୁ ପ୍ରସଙ୍ଗରେ ସମସ୍ୟା ସୃଷ୍ଟି କରୁଛି । ତେଣୁ ସୁରକ୍ଷା ପରିଷଦରେ ସୁଧାର ଆସି ପାରିଲେ ଦେଶମାନଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବା ଦିଗରେ ସହାୟକ ହେବ ।