ଆଜିଠୁ ୧୫-୧୮ ବର୍ଷ ଶିଶୁଙ୍କ ଟିକାକରଣ

ନୂଆଦିଲ୍ଳୀ: ଓମିକ୍ରନର ସଙ୍କଟ ବଢୁଥିବା ବେଳେ ଆଜିଠାରୁ ସମଗ୍ର ଦେଶରେ ଶିଶୁ ମାନଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୧୫-୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ଉଭୟ ଅନଲାଇନ ଓ ଅନସାଇଟ ବୁକିଂର ବ୍ୟବସ୍ଥା ରଖାଯାଇଛି । ଏହା ସହିତ ରବିବାର ସନ୍ଧ୍ୟା ସୁଦ୍ଧା କୋୱିନ୍ ଆପରେ ବୁକିଂ ୬ ଲକ୍ଷ ଛୁଇଁଛି । ଏହା ସହିତ ସମଗ୍ର ଦେଶରେ ଶିଶୁ ମାନଙ୍କ ପାଇଁ ଟିକାକରଣ ନିମନ୍ତେ ସ୍ୱତନ୍ତ୍ର କେନ୍ଦ୍ରର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର ମନସୁଖ ମାଣ୍ଡବୀୟ ପ୍ରକାଶ କରିଛନ୍ତି । ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ ପିଲାଙ୍କ ଟିକାକରଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍‌ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣର ଭାକ୍ସିନ ସବୁ ଜିଲ୍ଲାରେ ପହଞ୍ଚିସାରିଛି । କେବଳ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ଏହା ବାଦ୍‌ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ । ସ୍ୱତନ୍ତ୍ର ଭାବେ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାକରଣ ଚାଲିବ । ମାସେ ମଧ୍ୟରେ ପିଲାଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।