ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍ ମିଶନ୍‌’ରେ ପାଣିର ସନ୍ଧାନ ମିଳିଛି। ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି।

ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ। ତେବେ ଏନେଇ ଅଧିକ ଗବେଷଣା ଜାରି ରହିବ ବୋଲି ନାସା କହିଛି। ନାସାର ଏ ତଥ୍ୟ ଭବିଷ୍ୟତରେ ଚନ୍ଦ୍ର ଅଭିଯାନ ଲାଗି ଯୋଗାଇବ ଖୋରାକ।

ତେବେ ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ପାଣି ଥିବା ନେଇ ସନ୍ଦେହ କରି ଆସୁଥିଲେ। ହେଲେ ନାସା ଏହା ସ୍ପଷ୍ଟ କରିଦେଇଛି ଯେ, ପୃଥିବୀ ପୃଷ୍ଠରୁ ଦେଖାଯାଉଥିବା ଚନ୍ଦ୍ରର ବିରାଟକାୟ ଗର୍ତ୍ତ କ୍ଲାଭିୟସ କାର୍ଟର ଅଞ୍ଚଳରେ ଜଳର ସନ୍ଧାନ ମିଳିଛି।