କେଣେ ଯାଇଛି ଦୁଇ ହଜାର ଟଙ୍କିଆ ନୋଟ

ବଜାରରୁ ଦୁଇ ହଜାର ଟଙ୍କିଆ ନୋଟ୍‌ ଉଭାନ୍‌…

ନୂଆଦିଲ୍ଲୀ: ବିମୁଦ୍ରାକରଣ ସମୟରେ ସରକାରଙ୍କ ବଡ଼ ଅବଦାନ ଥିଲା ୨୦୦୦ ଟଙ୍କିଆ ନୋଟ । ରାତାରାତି ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅକାମୀ କରି ଦିଆଗଲା । ରିଜର୍ଭ ବ୍ୟାଙ୍କର ରାତିଅଧିଆ ନିଷ୍ପତିକୁ ସବୁ ବାଣିଜ୍ୟିକ ବ୍ୟାଙ୍କ ମାନିନେଲେ । ସକାଳୁ ଏଟିଏମ୍‌ରୁ ଟଙ୍କା ବାହାରିଲାନି । ସମସ୍ତଙ୍କ ମନରେ ଆଶଙ୍କା ଥିଲା, ବ୍ୟାଙ୍କବାଲାଏ ବୋଧେ କିଛି ଗୋଟାଏ କରିଛନ୍ତି । ମାତ୍ର ଟେଲିଭିଜନରେ ଖବର ପ୍ରସାରଣ କରାଯିବା ପରେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାତିଅଧିଆ ପଦକ୍ଷେପ ଜାଣିବାକୁ ପାଇଲେ । ପାକ୍‌ ଆତଙ୍କୀଙ୍କୁ ସାବାଡ଼ କରିବା ପାଇଁ ମୋଦୀଙ୍କ ‘ବାଲାକୋଟ୍‌ ଷ୍ଟ୍ରାଇକ୍‌’ ସମ୍ପର୍କରେ ଆମେ ଜାଣିଥିଲୁ । ମାତ୍ର ଦେଶବାସୀଙ୍କ ପକେଟ୍‌ ଉପରେ ମୋଦୀଙ୍କ ଷ୍ଟ୍ରାଇକ୍‌ ସମସ୍ତଙ୍କୁ ବଡ଼ ବାଧିଛି । ଏଟିଏମ୍‌ କାଉଂଟର ନିକଟରେ ଲୋକଙ୍କ ଘଂଟା ଘଂଟା ଠିଆ ହେବାର ଦୃଶ୍ୟ । ଏଟିଏମ୍‌ କାଉଂଟର ନିକଟରେ କିଛି ବୟସ୍କ ଲୋକଙ୍କ ମୃତ୍ୟୁ ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ହାତଯୋଡ଼ି ଲୋକଙ୍କୁ ନୋଟବନ୍ଦୀ ପୀଡ଼ା ସହିବାକୁ କହିଲେ । ଲୋକଙ୍କ ପୀଡ଼ାକୁ ଉପଶମ କରିବା ବଦଳରେ ସହିବାକୁ ପରାମର୍ଶ ଦେଇ ମୋଦୀ ବିଜେପି ଦୃଷ୍ଟିରେ ମହାନ୍‌ ହୋଇଗଲେ । ମାତ୍ର ଲୋକଙ୍କ ଦୃଷ୍ଟିରେ ଖଳନାୟକ ବନିଗଲେ । ନୋଟବନ୍ଦୀର ଏନ୍ତୁଡ଼ିଶାଳରୁ ଜନ୍ମନେଲା ଦୁଇ ହଜାର ଟଙ୍କିଆ ନୋଟ୍‌ ।

ଲୋକମାନେ ଘରେ ସାଇତି ରଖିଥିବା ୫୦୦ ଓ ହଜାର ଟଙ୍କିଆ ନୋଟ୍‌ ଧରି ବ୍ୟାଙ୍କକୁ ଗଲେ, ଧଳା ଓ ଗୋଲାପୀ ରଙ୍ଗର ଦୁଇ ହଜାର ଟଙ୍କିଆ ନୋଟ୍‌ ଆଣିଲେ । ବେଶ କିଛିଦିନ ଧରି ଲୋକଙ୍କ ପକେଟରେ ଦୁଇ ହଜାର ଟଙ୍କିଆ ନୋଟ୍‌ ଦେଖିବାକୁ ମିଳିଲା । ମାତ୍ର ଏବେ ଲୋକଙ୍କ ପକେଟ୍‌ରେ ସବୁଠାରୁ ବଡ଼ ନୋଟ୍‌ ଭାବେ ୫୦୦ ଟଙ୍କିଆ ଦେଖିବାକୁ ମିଳୁଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ‘ଦୁଇ ହଜାର ଟଙ୍କିଆ ନୋଟ୍‌ ଏବେ କୋଉଠି’ । କାହାକୁ ସତ ମଣିବ? ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବିଷୟରେ ଚୁପ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚୁପ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚୁପ । ସତେ ଯେପରି ସମସ୍ତଙ୍କ ମୁହଁରେ ତାଲା ପଡ଼ିଛି । ଲୋକମାନେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି । ଅର୍ଥଶାସ୍ତ୍ରୀମାନେ କହୁଛନ୍ତି, ସରକାରଙ୍କ ନିର୍ଦ୍ଦେଶରେ ବଜାରରୁ ଦୁଇ ହଜାର ଟଙ୍କିଆ ନୋଟ୍‌ ସାଉଁଟି ନେଇଯାଇଛି ରିଜର୍ଭ ବ୍ୟାଙ୍କ । ରାଜନୀତିଆମାନେ କହୁଛନ୍ତି, ଡକାୟତଙ୍କ ଦୃଷ୍ଟି ଆଢୁଆଳରୁ ଦୁଇ ହଜାର ଟଙ୍କିଆ ନୋଟକୁ ଲୁଚାଇ ରଖିଛନ୍ତି କେନ୍ଦ୍ର ସରକାର । କେହି କେହି କହୁଛନ୍ତି, ସବୁ ଟଙ୍କା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିନ୍ଦୁକରେ ସୁରକ୍ଷିତ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ଆୟକର ବିଭାଗ ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି ।

#shaksinews