ମହଙ୍ଗା ହେବ ମଦ, କୃଷି ସେସ୍ ଲାଗୁ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ଟା ସମୟରେ ସଂସଦରେ ୨୦୨୧-୨୨ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଏଥିପାଇଁ ସ୍ୱାସ୍ଥ୍ୟ ବଜେଟ୍‌କୁ ଗତବର୍ଷ ତୁଳନାରେ ୧୩୭% ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ବଜେଟ୍‌ ମଧ୍ୟ ୭.୪% ବଢ଼ିଛି। ତେବେ ବର୍ଦ୍ଧିତ ବ୍ୟୟବରାଦକୁ ପୂରଣ କରିବା ପାଇଁ ମଦ ଓ ପେଟ୍ରୋଲ-ଡିଜେଲ ଭଳି ସାମଗ୍ରୀ ଉପରେ ଅତିରିକ୍ତ ସେସ୍‌ ଲଗାଯାଇଛି।

ଏହିକ୍ରମରେ ମଦ ମହଙ୍ଗା ହେବ। କାରଣ ସରକାର ବଜେଟ୍‌ ଘୋଷଣା କରିବା ବେଳେ ମଦ ଉପରେ ୧୦୦% କୃଷି ଭିତ୍ତିଭୂମି ସେସ୍ ଲାଗୁ କରିଛନ୍ତି। ବଜେଟରେ ପେଟ୍ରୋଲର ଲିଟର ପିଛା ଦରରେ ଅଢ଼େଇ ଟଙ୍କା ଓ ଡିଜେଲର ଲିଟର ପିଛା ଦର ଉପରେ ୪ ଟଙ୍କା କୃଷି ଭିତ୍ତିଭୂମି ସେସ୍ ଲାଗିଛି। ତେଣୁ ଏହାର ଦର ମଧ୍ୟ ବଢ଼ିବାର ଆଶଙ୍କା ରହିଛି। କିନ୍ତୁ ସରକାର ଅବକାରୀ ଶୁଳ୍କ ହ୍ରାସ କରିଥିବାରୁ ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବନି ବୋଲି ସରକାର କହିଛନ୍ତି।

କଞ୍ଚା ପାମ୍ ତେଲ ଉପରେ ୧୭.୫%, ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ୨୦% ସେସ୍‌ ଲାଗୁ କରାଯାଇଛି। ତେବେ ମୂଳ ଅବକାରୀ ଟିକସ ହ୍ରାସ କରାଯାଇଥିବାରୁ ଏଗୁଡ଼ିକର ଦର ବଢ଼ିବ ନାହିଁ। ସୁନା ଓ ରୂପାର ସୀମା ଶୁଳ୍କକୁ ୧୨.୫%ରୁ ହ୍ରାସ କରି ୭.୫% କରାଯାଇଛି। ତେଣୁ ଏପ୍ରିଲରୁ ଏଗୁଡ଼ିକ ଶସ୍ତା ହୋଇପାରେ।