୨୦୨୪ ନିର୍ବାଚନ: ନବୀନ ଜିତିବେ, ବିଜେଡି ହାରିବ

୨୦୨୪ ବିଧାନସଭା ନିର୍ବାଚନକୁ ନେଇ ନାନା ପୂର୍ବାନୁମାନ ଆରମ୍ଭ ହୋଇଗଲାଣି । ଓଡ଼ିଶାରେ କୋଉ ଦଳ ସରକାର ଗଢ଼ିବ ବୋଲି ଏକ ପ୍ରଶ୍ନର ଜବାବରେ ଜ୍ୟୋତିର୍ବିଦ ଆଚାର୍ଯ୍ୟ ଧର୍ମରାଜ କହିଛନ୍ତି, ରାଜନୀତି ଓ ରାଜନେତାଙ୍କ ସଂପର୍କରେ ଭବିଷ୍ୟବାଣୀ କରିବାକୁ ମୁଁ ଚାହୁଁନି । ଆମେ ଜନତାଙ୍କ ପ୍ରତି ସମର୍ପିତ । ଲୋକମାନେ ଯାହାକୁ ଭୋଟ ଦେବେ, ସେହି ଦଳ ସଂଖ୍ୟାଗରିଷ୍ଠତା ଲାଭ କରି ସରକାର ଗଢ଼ିବ ।

୨୦୨୪ ବିଧାନସଭା ନିର୍ବାଚନ ଅତି ଗୋଳମାଳିଆ ପରିସ୍ଥିତି ଭିତର ଦେଇ ଶେଷ ହେବ । ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନିର୍ବାଚନରେ ଜିତିବେ । ମାତ୍ର ତାଙ୍କ ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟକ ଆସନ ପାଇବନି । ସରକାର ଗଠନ କରିବା ପାଇଁ ବିଜେଡିକୁ କିଛି ସ୍ୱାଧୀନ ଅବା ଅନ୍ୟ ଦଳର ବିଧାୟକଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ।

ବିଜେପି ଓ କଂଗ୍ରେସ ଭିତରୁ କେହି ସରକାର ଗଠନ କରି ପାରିବେନି । ୨୦୧୯ ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ଯେତିକି ଆସନ ମିଳିଥିଲା । ୨୦୨୪ ନିର୍ବାଚନରେ ପ୍ରାୟ ସେତିକିଟି ଆସନ ଭିତରେ ସୀମିତ ରହିବେ । ବିଶେଷ କରି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଦ୍ରୋହୀ ପ୍ରାର୍ଥୀମାନେ ଫଳାଫଳକୁ ଗୋଳିଆ କରିଦେବେ ।

୨୦୨୪ ନିର୍ବାଚନରେ ଗୋଟିଏ ନୂଆଦଳ ଓଡ଼ିଶା ବିଧାନସଭାରେ ପ୍ରବେଶ କରିବ ଯିଏ ଆଗାମୀ ଦିନରେ ଓଡ଼ିଶାକୁ ଶାସନ କରିବ । ୨୦୨୪ରେ ସେହି ଦଳ ହିଁ କିଙ୍ଗ୍‌ମେକର ହେବ ।

ପ୍ରଶ୍ନକର୍ତା ଆପ୍‌ ଦଳ ପ୍ରତି ଇଙ୍ଗିତ କରିବାରୁ ଜ୍ୟୋତିଷ ଧର୍ମରାଜ କହିଛନ୍ତି, ଓଡ଼ିଶାରେ ଆପ୍‌ ଖାତା ଖୋଲିବନି । ୨୦୨୪ ନୂଆବର୍ଷକୁ ଅପେକ୍ଷା କରନ୍ତୁ, ଓଡ଼ିଶାର କିଙ୍ଗ୍‌ ମେକର ଦଳ ଅଭ୍ୟୁଦୟ ଘଟିବ ।