ଫେବ୍ରୁଆରୀ ୩ରୁ ବର୍ଷା, ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବ୍ରୁଆରି ୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ ।

ଆଜିଠାରୁ ଶୀତର ପ୍ରଭାବ ଜାରି ରହିବ । ଶୀତର ପ୍ରଭାବ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ରବିବାର ଏଭଳି ପୂର୍ବାନୁମାନ କରିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପାଣିପାଗ ବିଜ୍ଞାନୀ ଉମାକାନ୍ତ ଦାସ କହିଛନ୍ତି, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରେ ବର୍ଷା ହେବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ଏହି ବର୍ଷା ଯୋଗୁ ପନିପରିବା ଚାଷ ନଷ୍ଟ ହେବାର ଭୟ ସୃଷ୍ଟି ହୋଇଛି । ମେଘୁଆ ପାଗ ଓ ବର୍ଷା ଯୋଗୁ ପନିପରିବା ଚାଷ ସମେତ ଚିନିବାଦାମ ଓ ସୋରିଷରେ ରୋଗ ପୋକ ବଢିପାରେ । ଆମ୍ବ ଗଛର ବଉଳ ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ରହୁଛି । ତେବେ ମୁଗ, ବିରି ଭଳି ଅଣଜଳସେଚିତ ଫସଲ ପାଇଁ ବର୍ଷା ଭଲ ରହିବ । ଯେଉଁମାନେ ଧାନ ତଳି ପକାଇଥିବେ ତାହା ଭଲ ହେବ ।