ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୩୦ ଜଣ ଯାତ୍ରୀ ଆହତ

ରାୟଗଡ଼ା: ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର । ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କୋଲନାରା ବ୍ଲକର ମୁକୁନ୍ଦପୁର ଘାଟିରେ ଭୋର ପ୍ରାୟ ୪.୩୦ ସମୟରେ ବସ୍ ଟି ଓଲଟି ପଡ଼ିଛି ।

ସୂଚନା ଅନୁଯାୟୀ, ମୁକୁନ୍ଦପୁର ଘାଟିରେ ମୋଡ଼ ନେବା ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ବସ୍ ଟି ୪୫ ଜଣ ଯାତ୍ରୀଙ୍କୁ ନେଇ ଗଂଜାମର ହିଞ୍ଜିଳି କାଟୁରୁ ରାୟଗଡ଼ାର ଟିକିରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବସ୍ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲେ ।

ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଅବସ୍ଥା ଗୁରୁତର ଅଛି । ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚଏଚ)କୁ ପଠାଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି ।