କରୋନା ପଜିଟିଭ ଆସିବାରୁ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର (ଏସ ନ୍ୟୁଜ): କରୋନା ପଜିଟିଭ ଜାଣିବା ପରେ କୀଟ ନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା ବଡମସି ଗାଁର ଜଣେ ୨୦ ବର୍ଷ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପିପିଇ କୀଟ ପିନ୍ଧି ନରେନ୍ଦ୍ରଙ୍କ ଶବ ସତ୍କାର କରିଥିଲେ ପରିବାର ଲୋକ ।

ସୂଚନାଅନୁଯାୟୀ,ନବରଙ୍ଗପୁର ଜିଲ୍ଲା ସାନମସିଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ରାପିଡ଼ ଟେଷ୍ଟ କରାଯାଇଥିଲା । ସେତେବେଳେ ବଡମସିଗାଁର ଯୁବକ ନରେନ୍ଦ୍ର ବିଶୋଇ ତାଙ୍କ ସାଙ୍ଗ ମାନଙ୍କ ସହ ଆସି କୋଭିଡ଼ ପରୀକ୍ଷା କରାଇଥିଲେ । ନରେନ୍ଦ୍ରଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ କୋଭିଡ ଟେଷ୍ଟ କରୁଥିବା କର୍ମଚାରୀ ମାନେ ନରେନ୍ଦ୍ର ବିଶୋଇଙ୍କୁ କହିଥିଲେ । ନରେନ୍ଦ୍ରଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ନରେନ୍ଦ୍ର କୋଭିଡ଼ ଟେଷ୍ଟରେ ପଜିଟିଭ ଆସିବା ଖବର ଜାଣିବା ପରେ ତାର ମାନସିକ ଚିନ୍ତା ବଢିଯାଇଥିଲା । ଆଉ ସେ ସେଠାରୁ ଘରକୁ ଫେରିନଥିଲେ ।

ନରେନ୍ଦ୍ରଙ୍କୁ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ରହିଥିଲେ । କେଉଁଆଡ଼େ ଗଲା ବୋଲି ଚିନ୍ତା ଲାଗିରହିଥିଲା । ହେଲେ ସନ୍ଧ୍ୟା ୫ ସମୟରେ ସେ ଘରକୁ ଫେରିଥିଲେ । ଏତେ ସମୟ ପର୍ଯ୍ୟନ୍ତ କଣ କରୁଥିଲୁ ବୋଲି ଘର ପ୍ରଶ୍ନ ପଚାରିଥିଲେ । କିନ୍ତୁ ନରେନ୍ଦ୍ର ଏଥିରେ ବିରକ୍ତି ଭାବ ପ୍ରକାଶ କରିଥିଲେ । ଏହାର କିଛି ସମୟ ପରେ ଜମିରେ ବ୍ୟବହାର କରିବା ପାଇଁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲେ ।

ତେବେ ନରେନ୍ଦ୍ର କୀଟନାଶକ ପିଇ ଦେଇଥିବା ପରିବାର ଲୋକେ ଜାଣିବା ପରେ , ତାଙ୍କୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ କଡିଙ୍ଗା ଥାନାରେ ପରିବାର ପକ୍ଷରୁ ଆତ୍ମହତ୍ୟା କରିଥିବା ମାମଲା ରୁଜୁ କରାଯିବା ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।