ବାହାନଗା ଟ୍ରେନ୍‌ ଭୋଜି ପରେ ବିଜେପି ବିଜେଡି ନିରବ

ଭୁବନେଶ୍ୱର: ଓଡ଼ିଶା ଏଭଳି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟି ନଥିଲା । ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନ୍‌ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିଲା ବେଳେ ଆହତଙ୍କ ସଂଖ୍ୟା ୯୦୦ ଟପିଗଲା । ରେଳବାଇର ପ୍ରାଥମିକ ସୂଚନା ଅନୁସାରେ ୬୫୦ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଲାଇନରେ ଟ୍ରେନ-ଟ୍ରେନ ମଧ୍ୟରେ ଦୁର୍ଘଟଣା ରୋକିବା ପାଇଁ କବଚ ସିଷ୍ଟମ ବ୍ୟବହାର କରାଯାଇ ନଥିବା କଥା ଉଠିଛି । ଏକ ବ୍ୟସ୍ତବହୁଳ ଲାଇନ ପ୍ରତି ଏଭଳି ବେପରୁଆ ମନୋଭାବ ରେଳବାଇ ପକ୍ଷେ ଆଦୌ ଶୋଭନୀୟ ନୁହେଁ ବୋଲି ଲୋକଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୁର୍ଘଟଣା ଘଟିବା ପରେ ରେଳବାଇର ଦୁର୍ବଳତା ଧରାପଡ଼ିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ପ୍ରଭୃତି କ୍ଷମତାଶାଳୀ ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କ’ଣ ମୃତକ ଜୀବନ ଫେରିପାଇବେ । ସରକାରଙ୍କ ଅନୁକମ୍ପା ରାଶି ମୃତକ ଓ ଆହତଙ୍କ ପରିବାରକୁ କଟା ଘା’ରେ ଚୂନ ନୁହେଁ ତ?

ଦୁର୍ଘଟଣାର ୨୪ ଘଂଟା ପରେ ଅର୍ଥାତ ଶନିବାର ଅପରାହ୍ଣ ୪ଟା ଯାଏ ରେଳମନ୍ତ୍ରୀ ଅଥବା ରେଳ ମନ୍ତ୍ରଣାଳୟ ପକ୍ଷରୁ ଦୁର୍ଘଟଣା ଘଟିବାର କାରଣ ସଂପର୍କରେ କୌଣସି କୈଫିୟତ ଦିଆଗଲାନି । ତା’ପରେ ଯାହା କାରଣ ଦର୍ଶାଗଲା, ସେଥିରେ ରେଳ ମନ୍ତ୍ରଣାଳୟ ସଂପୂର୍ଣ୍ଣ ଧୁଆମୁଗ ପ୍ରାୟ ମନେହେଲା । କେନ୍ଦ୍ର ରେଳମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ଉଚ୍ଚ ଅଧିକାରୀମାନେ ତଦନ୍ତ ବାହାନାରେ ପ୍ରକୃତ ଦୋଷକୁ ଏଡ଼ାଇ ଯାଉଛନ୍ତି । ସିଗନାଲ ସିଷ୍ଟମ ଫେଲ ଦୁର୍ଘଟଣାର ଆଉ ଏକ ବଡ଼ କାରଣ ବୋଲି କୁହାଯାଉଥିଲେ ମଧ୍ୟ ତାକୁ ସିବିଆଇ ରିପୋର୍ଟ ଚାପିଦେବା ଅସମ୍ଭବ ନୁହେଁ ।

ଦୁର୍ଘଟଣାର ଏକ ଘଂଟା ପରେ ପ୍ରାୟ ୮ଟାରେ ବାଲେଶ୍ୱରରେ ଗୋଟିଏ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଖବର ପ୍ରସାରିତ ହୋଇଥିଲା । ତା’ପରେ ସେହି ସ୍ଥାନରେ ଆଉ ଗୋଟିଏ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ଆସିଲା । ରାତି ପ୍ରାୟ ସାଢେ଼ ୧୦ଟାରେ ପ୍ରକୃତ ଘଟଣା ସାମ୍ନାକୁ ଆସିଲା । ପ୍ରଥମେ ପ୍ରଥମେ ୫୦ ଲୋକ ମରିଥିବା ଅନୁମାନ କରାଯାଉଥିଲା ।

ରେଳ ଅଧିକାରୀଙ୍କ ସୂଚନା ମୁତାବକ ବାହାନଗା ବଜାର ଷ୍ଟେସନର ଆଉଟ୍‌ ଲାଇନରେ ଗୋଟିଏ ମାଲବାହୀ ଟ୍ରେନ୍‌ ଠିଆ ହୋଇଥିଲା । ହାଓଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଦିଗହରା ହୋଇ ମାଲବାହୀ ଟ୍ରେନ ଉପରକୁ ଚଢ଼ିଗଲା । ତା’ର ବଗିଗୁଡ଼ିିକ ତୃତୀୟ ଲାଇନ ଉପରେ ପଡ଼ିଗଲା । କିଛି ସମୟ ପରେ ତୃତୀୟ ଟ୍ରାକରେ ମାଡ଼ି ଆସୁଥିବା ହାଓଡ଼ା-ବେଙ୍ଗାଲୁରୁ ଦୂରନ୍ତୋ ଏକ୍ସପ୍ରେସ କରମଣ୍ଡଳ ଏକ୍ସପ୍ରେସର ବିକ୍ଷିପ୍ତ ବଗିଗୁଡ଼ିକୁ ପିଟିଥିଲା ।

ତା’ପରେ ବାହାନଗା ଅଂଚଳଟି ପବିତ୍ର ହୋଇଗଲା । ୨୦୧୯ ଲୋକସଭା ନିର୍ବାଚନ ପରେ ଯୋଉ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ସାବତ ପୁଅ ବୋଲି ଭାବୁଥିଲେ । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଉଡ଼ିଆସିଲେ । ପ୍ରଧାନମନ୍ତ୍ରୀ କାଳେ ବାଜି ମାରି ନେଇଯିବେ, ତାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଛୁଟିଲେ ବାହାନଗା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାହାନଗାକୁ ପବିତ୍ର କରିଛନ୍ତି ।

ଆଗକୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିବ ନାହିଁ ବୋଲି ବହୁ ରାଜନେତା ହଲପ କରିଛନ୍ତି । ମାତ୍ର ଦୁର୍ଘଟଣା ଘଟିବା ପର୍ଯ୍ୟନ୍ତ କଥା ଗଲା କାହିଁକିର ଜବାବ କାହା ପାଖରେ ନାହିଁ । ଏଭଳି ମନୁଷ୍ୟକୃତ ଦୁର୍ଘଟଣାକୁ ଦୈବୀକୋପ କହି ଏଡ଼ାଇ ଯିବା ଛଡ଼ା କାହା ପାଖରେ ବିକଳ୍ପ ନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନାପିଲା ପରି ଦୁର୍ଘଟଣା ସ୍ଥାନ ପରିଦର୍ଶନ କରି ଦିନଟିଏ ଶୋକ ପାଳନ କରି ନିରବ ରହିଛନ୍ତି । ସତେ ଯେପରି ସେ ଜଡ଼ ପାଲଟି ଯାଇଛନ୍ତି । ନା ମୃତକଙ୍କ ପରିବାରକୁ ସମବେଦନା, ନା ଆହତଙ୍କୁ ଆଶ୍ୱାସନା । କେନ୍ଦ୍ରକୁ ଦାୟୀ କରି ପାରୁନାହାନ୍ତି କି ନିଜ ଲୋକଙ୍କୁ ସାନ୍ତ୍ୱନା ଦେଇ ପାରୁଛନ୍ତି । ଚାଲୁ ପାଲା ଯେତେଦିନ ଚାଲିପାରିବ, ଚାଲୁ।