ବିଷ ସୌଦାଗର ପାଳନ କରୁଛି ‘ଖାଦ୍ୟ ସୁରକ୍ଷା ଦିବସ’

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଳନ କରୁଛି ‘ଖାଦ୍ୟ ସୁରକ୍ଷା ଦିବସ’ । ମିଳିତ ଜାତିସଂଘର ପ୍ରତ୍ୟେକ ସଭ୍ୟ ରାଷ୍ଟ୍ର ଏହି ଦିବସଟିକୁ ଉତ୍ସାହର ସହ ପାଳନ କରୁଥିବା ବେଳେ ଏ ସଂପର୍କରେ ସାମାନ୍ୟ ବିତର୍କ ଜରୁରୀ । ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଏହି ବିଶ୍ୱ ଆଜି ଆମ ସମସ୍ତଙ୍କ ପାଇଁ ବିଷାକ୍ତ ହୋଇଯାଇଛି । ବିଶ୍ୱ ପରିବେଶକୁ ବିଷାକ୍ତ କରିବା ପଛରେ ବିକଶିତ ଦେଶଗୁଡ଼ିକ ଅଧିକ ମାତ୍ରାରେ ଦାୟୀ । ବିଜ୍ଞାନକୁ ଦାସ କରିବା ଚକ୍କରରେ ପଡ଼ି ମଣିଷ ନିଜେ ବିଜ୍ଞାନର ଦାସ ପାଲଟିଯାଇଛି । ବିଜ୍ଞାନର କୁହୁକ ଖେଳ ଯେ ମଣିଷ ଜୀବନ ପ୍ରତି ଦାଉ ସାଧିବ, ଏ ସତ୍ୟ ସାମ୍ନାକୁ ଆସିଲା ବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହିଗଲାଣି । ଏବେ ମଣିଷ ନା ବିଜ୍ଞାନକୁ ଛାଡ଼ିପାରୁଛି ନା ସଜାଡ଼ି ପାରୁଛି ।

ବିଜ୍ଞାନ ପ୍ରଭାବରେ ଆଜି ମାଟି ବିଷାକ୍ତ, ପାଣି ବିଷାକ୍ତ, ବାୟୁ ବିଷାକ୍ତ । ସୁଷମ ଖାଦ୍ୟ ମିଳିବ କୋଉଠୁ? ପୁଷ୍ଟିକର ଖାଦ୍ୟ ମିଳିବ କୋଉଠୁ? ଆମେ ଯାହାକୁ ପୁଷ୍ଟିକର ଭାବି ଖାଇବା ତାହା ଯେ ଆମକୁ ମରଣ ମୁହଁକୁ ପକାଇବ ନାହିଁ, ସେଭଳି ଦାବି କରିହେବନି ।

୨୦୧୯ ଜୁନ ୭ ତାରିଖରେ ପ୍ରଥମ ଥର ପାଇଁ ବିଶ୍ୱସ୍ତରରେ ଖାଦ୍ୟ ସୁରକ୍ଷା ଦିବସ ପାଳିତ ହୋଇଥିଲା । ତା’ ପରଠାରୁ ପ୍ରତିବର୍ଷ ଜୁନ ୭ ତାରିଖଟିକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଉଛି । ମାତ୍ର ଏହି ଦିବସ ପାଳନ ଏବେ ମାମୁଲି ହୋଇପଡ଼ିଛି ।

ଅସୁରକ୍ଷିତ ଖାଦ୍ୟ ସେବନ କରି ପ୍ରତିବର୍ଷ ୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଦିନ ଥିଲା ଓଡ଼ିଶାର ବନବାସୀ ସମାଜ କନ୍ଦମୂଳ, ମାଟିଆଳୁ, ବଣସାରୁ ପ୍ରଭୃତି ସେବନ କରି ବେଶ ବଳିଷ୍ଠ ଥିଲେ । ମାତ୍ର ସରକାରଙ୍କ ବିକାଶ ମାୟାରେ ଜଙ୍ଗଲ ମଧ୍ୟ ପଦା ହୋଇଗଲାଣି । ଖଣିଖାଦାନଭରା ଅଂଚଳରେ ଅପପୁଷ୍ଟିଜନିତ ମୃତ୍ୟୁ ମାମଲା ନିତିଦିନିଆ ହୋଇଗଲାଣି ।

ଖଣି ଅଂଚଳରେ ଥିବା ନଳକୂଅ ପାଣି ଲୋକଙ୍କ ପାଇଁ ବିଷ ପ୍ରାୟ । ଅପପୁଷ୍ଟି କାରଣରୁ ଲୋକଙ୍କୁ ନାନା ଜଟିଳ ରୋଗ ଖାଉଛି । ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଉଛି ।