ବାହାନଗାରେ ଖଲି ଗୋଟାଉଛି ସିବିଆଇ

ବିଫଳତା ଲୁଚାଇବା କାମ କରୁଛି ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ କେନ୍ଦ୍ର ସରକାରଙ୍କ ଦୁର୍ବଳତାକୁ ଲୁଚାଇବା ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସିବିଆଇର କେତୋଟି ମାମଲା ସଂପର୍କରେ ତଥ୍ୟ ପ୍ରଦାନ କରି କଂଗ୍ରେସ ସିବିଆଇ ଓ ଏନଆଇଏ ତଦନ୍ତର ପରିଣାମ ଉପରେ ସନ୍ଦେହ ପ୍ରକାଶ କରିଛି । ଇତି ମଧ୍ୟରେ ସିବିଆଇ ଜିଆରପି ହାତରୁ ମାମଲା ନେବା ପରେ ଟ୍ରେନ୍‌ ଦୁର୍ଘଟଣା ପ୍ରସଙ୍ଗରେ ସାନି ମାମଲା ରୁଜୁ କରିଛି । ସିବିଆଇ ଟିମ୍‌ ଟ୍ରେନ ସିଗନାଲିଂ ସିଷ୍ଟମକୁ ଯାଂଚ କରିବା ସହିତ ଦୁର୍ଘଟଣା ସ୍ଥଳକୁ ତନ୍ନତନ୍ନ ଯାଂଚ କରିଥିଲା ।

ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ଲୋକଙ୍କ ମୃତଦେହ ଏବେ ମଧ୍ୟ ବିଭିନ୍ନ ଡାକ୍ତରଖାନାର ଶବାଗାରରେ ରହିଛି । ମୃତଦେହଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ସରି ନଥିବାରୁ ସେଗୁଡ଼ିକୁ ସାଇତି ରଖିବା ଯେତିକି ଜରୁରୀ, ମୃତଦେହଗୁଡ଼ିକର ଡିଏନଏ ରିପୋର୍ଟ ପ୍ରସ୍ତୁତ କରିବା ତା’ଠାରୁ ଅଧିକ ଜରୁରୀ ।

ଭୁବନେଶ୍ୱର ଏମ୍ସ ପକ୍ଷରୁ ଶବ ଦାବିଦାରଙ୍କଠାରୁ ଡିଏନଏ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଶବଗୁଡ଼ିକୁ ୫ଟି କଂଟେନରରେ ରଖାଯାଇଛି । ଡିଏନଏ ରିପୋର୍ଟ ଆଧାରରେ ପ୍ରକୃତ ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ଶବ ହସ୍ତାନ୍ତର ଓ ସଂସ୍କାର ପ୍ରସଙ୍ଗରେ କୌଣସି ପ୍ରକାର ତରବରିଆ ପଦକ୍ଷେପ ଗ୍ରହଣ କରାଯିବନି । ମୃତଦେହଗୁଡ଼ିକ ୬ ମାସ ପାଇଁ କଂଟେନରରେ ସାଇତା ରଖାଯିବ । ୨୭୮ ଶବ ଭିତରୁ ୧୭୭ ଜଣଙ୍କୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଝାଡ଼ଖଣ୍ଡର ଗୋଟିଏ ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ଉପେନ୍ଦ୍ର କୁମାର ଶର୍ମାଙ୍କ ଶବ ଚିହ୍ନଟ କରିଥିଲେ ମାତ୍ର ଡାକ୍ତରଖାନା ତାକୁ ଆଉ କାହାକୁ ହସ୍ତାନ୍ତର କରି ଦେଇଛନ୍ତି ।

ଶୁଣିବାକୁ ମିଳୁଛି ଯେ ମୃତକଙ୍କ ଭିତରୁ ୪୦ରୁ ଅଧିକଙ୍କ ଶରୀରରେ ନା କ୍ଷତ ଚିହ୍ନ ରହିଛି ନା ରକ୍ତସ୍ରାବ ହୋଇଛି । ସେମାନେ ଉଚ୍ଚକ୍ଷମତା ସଂପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । କରମଣ୍ଡଳ ଏକ୍ସପ୍ରେସଟି ମାଲବାହୀ ଗାଡ଼ି ଉପରକୁ ଚଢ଼ିଯିବା ଫଳରେ ଟ୍ରେନ ଉପର ଦେଇ ଯାଇଥିବା ଉଚ୍ଚକ୍ଷମତା ସଂପନ୍ନ ବିିଜୁଳି ତାର ଛିଣ୍ଡି ପଡ଼ିଥିବା କଥା କହିଛନ୍ତି ଉଦ୍ଧାରକାରୀ ଦଳ । ବହୁ ବିଜୁଳି ଖୁଂଟ ବଙ୍କେଇ ଯିବା କାରଣରୁ ବିଜୁଳି ତାର ଝୁଲି ରହିଥିଲା । ତେଣୁ ଅନ୍ଧାର ଭିତରେ ବିଜୁଳି ତାର ସଂସ୍ପର୍ଶରେ ଆସି କିଛି ଯାତ୍ରୀ ମରିବା ଅସମ୍ଭବ ନୁହେଁ । ଦୁର୍ଘଟଣା ଘଟାଇଥିବା ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ୍‌ ମଧ୍ୟ କିଛି ବିଜୁଳି ତାର ଛିଣ୍ଡାଇଥିବାର କୁହାଯାଉଛି ।