କାଙ୍ଗାଳ ତାଲିକାରେ ପାକିସ୍ତାନ ପଛକୁ ବାଂଲାଦେଶ

ଏକା ପାକିସ୍ତାନ ନୁହେଁ ଏବେ ବାଂଲାଦେଶ ମଧ୍ୟ କାଙ୍ଗାଳ ପ୍ରାୟ । ବେଶ କିଛି ବର୍ଷ ଧରି ବାଂଲାଦେଶର ଆର୍ଥିକ ସ୍ଥିତି ଭଲ ଥିଲା । କିନ୍ତୁ ଏବେ ତା’ର ଆର୍ଥିକ ସ୍ଥିତି ରସାତଳଗାମୀ ହୋଇଛି । ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ଥିବାରୁ ବାଂଲାଦେଶକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଅର୍ଥଶାସ୍ତ୍ରୀମାନେ ମତବ୍ୟକ୍ତ କରିଛନ୍ତି ।

ଚାଉଳ, ଗହମ, ବିରି, ମୁଗ, ହରଡ଼ ପ୍ରଭୃତି ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ଚିନି, ମସଲା, ପେଟ୍ରୋଲିୟମ, ତୁଳା ସମେତ ପ୍ରାୟ ଅଧିକାଂଶ ଦ୍ରବ୍ୟ ଆମଦାନୀ କରୁଛି ବାଂଲାଦେଶ । ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ବାଂଲାଦେଶର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବା ଆରମ୍ଭ କଲା । ଅଟା, ଖାଇବା ତେଲ, ମଇଦା, ଗୁଡ଼ ପ୍ରଭୃତି ଖାଉଟି ସାମଗ୍ରୀର ଦାମ କ୍ରମାଗତ ବୃଦ୍ଧି ପାଇଲା । ବାଂଲାଦେଶର ଆମଦାନୀ ଖର୍ଚ୍ଚରାଶି ୮୩୦୦ କୋଟି ଡଲାରକୁ ଛୁଇଁଲା । ଦେଶରେ ପେଟ୍ରୋଲ, ଡିଜେଲ ସଂକଟ ଉପୁଜିଲାଣି । ବାଂଲାଦେଶ ଉପରେ ୬ଟି ବିଦେଶୀ ତୈଳ କମ୍ପାନୀର ବାକିଆ ପରିମାଣ ବଢ଼ିଚାଲିଛି । ବକେୟା ପାଉଣା ପଇଠ କାରଣରୁ ପେଟ୍ରୋଲିୟମ ଯୋଗାଣ ବାଧା ପ୍ରାପ୍ତ ହୋଇଛି ।

ବାଂଲାଦେଶର ମେଗା ପାୱାର ୟୁନିଟରୁ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଦେଶରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା ବେଳେ ବିଜୁଳି ଯୋଗାଣ ବନ୍ଦ କରି ଦିଆଯିବା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ବିମାନ ଯାତ୍ରା ବାଧା ପ୍ରାପ୍ତ ହୋଇଛି । ବାଂଲାଦେଶର ରିଜର୍ଭ ବ୍ୟାଙ୍କରେ ୪୬୦୦ କୋଟି ବିଦେଶୀ ଡଲାର ମହଜୁଦ ଥିଲା ଯାହା ଏପ୍ରିଲ ୨୦୨୩ ଶେଷ ବେଳକୁ ୩୦୦୦ କୋଟି ଡଲାରକୁ ଖସିଗଲାଣି । ବିଦେଶୀ ମୁଦ୍ରା ପରିମାର କମିଯିବା ପରେପରେ ଡଲାର ତୁଳନାରେ ବାଂଲାଦେଶ ମୁଦ୍ରା ବିନିମୟ ମୂଲ୍ୟ କମିଯାଇଛି । ଦେଶର ଶସ୍ୟ ଉତ୍ପାଦନ ବାଧା ପ୍ରାପ୍ତ ହେବା କାରଣରୁ ପନିପରିବା ଦର ଆକାଶକୁ ଛୁଇଁଛି ।

ବ୍ୟାଙ୍କଗୁଡ଼ିକ ଋଣ ଦେବା ବନ୍ଦ କରିଦେବାରୁ ଲୋକମାନେ ଅନ୍ୟ ଉପାୟ ନପାଇ ବିନା କାଗଜପତ୍ରରେ ଚଢ଼ା ସୁଧରେ କାବୁଲିବାଲାଙ୍କଠାରୁ ଟଙ୍କା କରଜ କରୁଛନ୍ତି । ଆଗାମୀ ଦିନରେ ବାଂଲାଦେଶ ମହରଗରୁ ଯାଇ କାନ୍ତାରରେ ପଡ଼ିବା ସୁନିଶ୍ଚିତ ।