ଓଡ଼ିଶାକୁ ଶନିଦଶା: ୬ଟି ମୁଣ୍ଡ ନେବାକୁ ଠିଆ ହୋଇଥିଲା ମାଲବାହୀ ଟ୍ରେନ୍‌

ଯାଜପୁର: ୟା’କୁ କ’ଣ କୁହାଯିବ? ମହାପ୍ରଭୁ ଜଗନ୍ନାଥଙ୍କ କୋପଦୃଷ୍ଟି ! କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି ଶନିଦଶା । କିଏ ଜାଣିଥିଲା? ଦୀର୍ଘଦିନ ଧରି ଠିଆ ହୋଇଥିବା ମାଲବାହୀ ଟ୍ରେନଟି ହଠାତ୍‌ ଗଡ଼ିବ ଆଉ ତା’ ତଳେ ଆଶ୍ରୟ ନେଇଥିବା କିଛି ଶ୍ରମିକଙ୍କ ଭିତରୁ ୬ ଜଣଙ୍କୁ ମାରିବ । ଦୁଇଜଣ ଶ୍ରମିକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି ।

୨ ତାରିଖ ଦିନ ବାହାନଗାରେ କରମଣ୍ଡଳର ମାଂସଭୋଜିରେ ସନ୍ତୁଷ୍ଟ ହୋଇ ନଥିଲା ବିଧାତା । ୨୮୮ ମୁଣ୍ଡ ନେବା ପରେ ଆହୁରି ୬ଟି ମୁଣ୍ଡ ନେବାର ଥିଲା । ଯାଜପୁର ରୋଡ ଷ୍ଟେସନର ସେଫ୍‌ଟି ଲାଇନରେ ଠିଆ ହୋଇଥିବା ଇଞ୍ଜିନବିହୀନ ମାଲବାହୀ ଟ୍ରେନଟି ବର୍ଷା ପବନରେ ଗଡ଼ିବା ଆରମ୍ଭ କରିଥିଲା । ପରିଣାମ ସ୍ୱରୂପ ଟ୍ରେନ ଲାଇନ କାମରେ ନିୟୋଜିତ କିଛି ଶ୍ରମିକ ମାଲବାହୀ ଟ୍ରେନ ବଗି ତଳେ ଆଶ୍ରୟ ନେଇଥିଲା ବେଳେ ତାହା ଆପେ ଆପେ ଗଡ଼ିବା ଆରମ୍ଭ କଲା । ଦେଖୁ ଦେଖୁ ଚାଲିଗଲା ୬ଟି ଜୀବନ । ସତେ ଯେପରି ୬ଟି ମୁଣ୍ଡ ନେବା ପାଇଁ ମାଲବାହୀ ଟ୍ରେନଟି ଦୀର୍ଘଦିନ ଧରି ଠିଆ ହୋଇଥିଲା ।

ବିଧିର ବିଚିତ୍ର ବିଧାନ । ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ସବୁ ଐତିହାସିକ ଘଟଣାଗୁଡ଼ିକ ଘଟୁଛି । ଖୋଲା ବଜାରରେ ଚାଉଳ କିଲୋ ୩୦ ଟଙ୍କା ହୋଇଥିଲା ବେଳେ ଗରିବଙ୍କୁ ଟଙ୍କାକରେ କିଲେ ଚାଉଳ ମିଳିବା ଯେମିତି ଗୋଟିଏ ଐତିହାସିକ ଘଟଣା । ବାହାନଗାରେ ଟ୍ରେନ ଦୁର୍ଘଟଣାରେ ୨୮୮ ମୁଣ୍ଡ ଗଡ଼ିବା ମଧ୍ୟ ସେହିଭଳି ଏକ ଐତିହାସିକ ଘଟଣା । ତା’ ସାଙ୍ଗକୁ ଆଜି (୭ ।୬ ।୨୩ ବୁଧବାର) ଯାଜପୁର ରୋଡ୍‌ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନଟି ଆପେ ଆପେ ଗଡ଼ିବା ମଧ୍ୟ ଏକ ଐତିହାସିକ ଘଟଣା । ସବୁଠାରୁ ଐତିହାସିକ ଘଟଣା ହେଉଛି ପ୍ରାୟ ପ୍ରତ୍ୟେକ ପ୍ରସଙ୍ଗରେ ବିଜେପି ଓ ବିଜେଡି ପରସ୍ପରକୁ ଦୋଷାରୋପ କରୁଥିଲା ବେଳେ ବାହାନଗା ଟ୍ରେନ୍‌ ଦୁର୍ଘଟଣା ଓ ଯାଜପୁର ଟ୍ରେନ୍‌ ଦୁର୍ଘଟଣାରେ ବଡ଼ପାଟିଆ ବିଜେପି ଓ ବିଜେଡି ଏକଦମ୍‌ ଚୁପ୍‌ ।

ଏମିତି କେତେ ବେଗରେ ବର୍ଷା ପବନ ହେଲା ଯେ ମାଲବାହୀ ଟ୍ରେନଟି ଗଡ଼ି ଯାଇଥିଲା । ତା’ର ତଦନ୍ତ ଦାୟିତ୍ୱ ବୋଧେ ସିବିଆଇକୁ ଦିଆଯିବ । ମୃତକ ଶ୍ରମିକମାନେ ରେଳବାଇ କର୍ମଚାରୀ ନଥିଲେ ତଥାପି ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉଛି । ମୃତକଙ୍କୁ କ୍ଷତିପୂରଣ ଦେଇ ଟ୍ରେନ୍‌ ଦୁର୍ଘଟଣାକୁ ମାମୁଲି ମଣିବା ଆମ ସରକାରଙ୍କ ଦେହସୁହା ହୋଇଗଲାଣି ।

ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଗ୍ୟ ଆକାଶରେ କଳାବାଦଲ ଘୋଟିଯାଇଛି । ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ନିର୍ମଳ ଚେହେରା ମୋଟେ କାମ ଦେବନି । ରେଳ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ପବନକୁ ଧରିବାକୁ ଚେଷ୍ଟା କରି ଆସୁଥିଲେ ଅଶ୍ୱିନୀ । ହେଲେ ସେ କ’ଣ ଜାଣିଥିଲେ ତାଙ୍କ ଭଳି ଭଦ୍ରଲୋକ ପବନକୁ ଧରିବାକୁ ଯାଇ ଲୋକହସା ହେବେ । ଏକା ମୋଦି ହିଁ ପବନର ଦିଗ ବଦଳାଇ ପାରିବେ କାରଣ ସେ ପିଲାଦିନରୁ କଥା ବିକିବାର କୌଶଳ ଜାଣିଛନ୍ତି ।