ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ

ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏହି ଅବସରରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସୀମା ବିବାଦ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଦେଖାଦେଇଥିବାରୁ ଉଭୟ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି । ଏପରିକି ଆନ୍ଧ୍ର ନିଜ ଅଞ୍ଚଳ ଦାବି କରି ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏହାକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଅନେକ ଥର ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ରାଜ୍ୟ ସୀମାରେ ମୁହାଁମୁହିଁ ହେଉଛନ୍ତି । ଏପର୍ଯ୍ୟନ୍ତ ଏହି ବିବାଦର କୌଣସି ସମାଧାନର ରାସ୍ତା ବାହାରି ପାରିନି । ସେହିପରି ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳକୁ ନେଇ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ସୀମା ବିବାଦ ତୀବ୍ର ହେଉଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଏହି ଓଡ଼ିଶା ଗସ୍ତକୁ ଗୁରୁତର ସହ ନିଆଯାଉଛି । ସେହିପରି ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ୍‌ ନିର୍ମାଣ, ପୋଲାଭରମ୍‌ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।