ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିଲା ବିଏମସି

ଭୁବନେଶ୍ୱର(ଏସ ନ୍ୟୁଜ): ଖୋଲିଲା ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ । ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଆଜି ବିଏମସି ଖୋଲିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବିଏମସି ପକ୍ଷରୁ ଏହି ସିଲ୍ ଖୋଲାଯାଇଛି ।

ସୂଚନା ଅନୁସାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଜନ୍ମଦିନରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।ଏହା ପୂର୍ବରୁ ଅନେକ ଥର କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି । ଏନେଇ ଅକ୍ଟୋବର ୧୦ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ସିଲ୍ ୧୫ ଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୋଟିସ ପଠାଯାଇଥିଲା ।

ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ପୁଣି ଥରେ ବିଏମସି ଉପରେ ବର୍ଷିଛନ୍ତି । କ୍ଷମତା ବାହାରେ ଯାଇ କାମ କରୁଛି ବିଏମସି। ତାଙ୍କ ପଳାଶପଲ୍ଲୀ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍ ଉଲ୍ଲେଖ କରି ବିଏମସି କମିଶନରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, ତାଙ୍କୁ କହିବାର ସୁଯୋଗ ନଦିଆଯାଇ କାର୍ଯ୍ୟାଳୟ ସିଲ୍ କରାଯାଇଛି। ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଏମସି ପଦକ୍ଷେପ ନେଇଛି। ତାଙ୍କ ଜନ୍ମଦିନ ଘଟଣା ଦିନ ଉପସ୍ଥିତ ତାଙ୍କର କୌଣସି ସମର୍ଥକ କିମ୍ବା ସେ ନିଜେ କୋଭିଡରେ ଆକ୍ରାନ୍ତ ହୋଇ ନାହାନ୍ତି ବୋଲି ଅପରାଜିତା ଚିଠି ମାଧ୍ୟମରେ କହିଛନ୍ତି । ତେବେ ଏଥିରେ ସମ୍ପୂର୍ଣ୍ଣ ଅଫିସକୁ ସିଲ୍ କରିଦେବା ଉଚିତ ନଥିଲା ବୋଲି ଅପରାଜିତା କହିଛନ୍ତି । ଏମିତିକି ଆଗାମୀ ଦିନରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଏଥିରେ ଦର୍ଶାଇଛନ୍ତି ।