ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବେ ଅର୍ଚ୍ଚନା ନାଗ!

ଭୁବନେଶ୍ୱର: ସକାଳୁ ସକାଳୁ ଜେଲ ନିକଟରେ କ୍ୟାମେରା ଓ ମାଇକ୍ରୋଫୋନ୍‌ ଧରି ଠିଆ ହୋଇଛନ୍ତି ବହୁ ଗଣମାଧ୍ୟମ ପ୍ରତିନିଧି । କଥା କ’ଣ? କୋଉ ଲୋକପ୍ରିୟ ନେତା ବା ନେତ୍ରୀଙ୍କ ପାଇଁ ଏତେ ତତ୍ପରତା । ଠିକ ସମୟରେ ଜେଲରୁ ବାହାରି ଆସିଲେ ଲୋକପ୍ରିୟ ସୁନ୍ଦରୀ ଅର୍ଚ୍ଚନା ନାଗ । ସାଙ୍ଗରେ ତାଙ୍କର ସ୍ୱାମୀ ଜଗବନ୍ଧୁ ।

ଜଣେ ବ୍ଲାକମେଲରଙ୍କ ଖବର ପ୍ରସାରଣ ପାଇଁ ଆମ ଗଣମାଧ୍ୟମ ଏତେ ଆଗ୍ରହୀ । ଅର୍ଚ୍ଚନା ଓଡ଼ିଶା ଅବା ଭାରତ ପାଇଁ ସେଭଳି କିଛି ଗୌରବମୟ ଇତିହାସ ରଚନା କରିନାହାନ୍ତି । ତଥାପି ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଗଲାଣି ।

ଆଉ କେହି ଅର୍ଚ୍ଚନାଙ୍କ ପ୍ରତି କୃପା କରନ୍ତୁ କି ନକରନ୍ତୁ, ବିଜେପି ନେତା ବୈଜୟନ୍ତ ପଣ୍ଡା ନିଶ୍ଚିତ ରୂପେ ଅର୍ଚ୍ଚନାଙ୍କୁ ବିଧାନସଭା ଆସନରୁ ପ୍ରାର୍ଥୀ କରି ବିଜେପିର କୌଣସି ଗୋଟିଏ ଆସନ ଦଖଲ କରିବା ଉଦ୍ଦେଶ୍ୟରେ ଅଛନ୍ତି । ତା’ର ପ୍ରମାଣ ଆମେ ଆଜି ସକାଳୁ ପାଇଯାଇଛୁ । ଆହା ସେ ଯୋଉ ପ୍ରସାରଣ । ସକାଳ ୭ଟାରୁ ୭ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଓଟିଭି ନ୍ୟୁଜରେ ଅର୍ଚ୍ଚନାଙ୍କ ମୁହଁ ବ୍ୟତୀତ ଆଉ କିଛି ଦେଖା ଯାଉ ନଥିଲା ।

ଝାରପଡ଼ା ଜେଲରେ ଦୀର୍ଘ ୧୪ ମାସ କଟାଇବା ପରେ ହାଇକୋର୍ଟରୁ ଜାମିନ ପାଇ ଅର୍ଚ୍ଚନା ଆଜି ମୁକୁଳିଛନ୍ତି । ଜେଲ ଭିତରେ ଥିବା ସମୟରେ ଓଡ଼ିଶାକୁ ଦୋହଲାଇ ଦେବାର ଦମ୍‌ ରଖିଥିବା ଅର୍ଚ୍ଚନା ଆଜି ପୁରା ଥଣ୍ଡା ଦିଶୁଥିଲେ । ସେ ଶାନ୍ତିର ସହିତ ବଂଚିବାକୁ ଉଦ୍ୟମ କରିବେ କହି ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି ।