ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପାଉଁଶ

ଆଠଗଡ, (ଏସ୍‌ ନ୍ୟୁଜ): ଆଠଗଡ ବ୍ଲକ ରାଧାଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର (ଖୁଣ୍ଟାଡାବ ) ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ଜଳିଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗୋବିନ୍ଦପୁର ଗ୍ରାମରେ ଗତକାଲି ରାତି ପ୍ରାୟ ୧ ଟା ସମୟରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ସେହି ଗ୍ରାମର ସନାତନ ବେଉରା, ଅଜୟ କୁମାର ବେଉରା, ବିଜୟ କୁମାର ବେଉରା, ଅଞ୍ଜଳି ବେଉରା, ଦିନେଶ ବେଉରା, ଅନୁସୂୟା ବେଉରାଙ୍କ ୬ ବଖରା ଘର ସହ ୧୫ ଲକ୍ଷରୁ ଉଦ୍ଧ୍ୱର୍ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ ମଧ୍ୟ କରୋନା ପାଇଁ କଣ୍ଟେନମେଣ୍ଟଜୋନ ଘୋଷଣା ହୋଇ ରାସ୍ତା ବ୍ଲକ ଥିବାରୁ ଅଗ୍ନିଶମ ବାହିନୀ ପୁନର୍ବାର ଫେରି ଅନ୍ୟରାସ୍ତା ଦେଇ ଆସିବା ବେଳକୁ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା । ୧୮ ତାରିଖ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହି ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଥିବା ବେଳେ କାହିଁକି ଏତେଦିନ ପର୍ଯ୍ୟନ୍ତ ରାସ୍ତା ବ୍ଲକ କରାଗଲା ଯାହା ଫଳରେ ଅଗ୍ନିଶମ ବାହିନୀ ଠିକ ସମୟରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଉକ୍ତ ୬ ପରିବାର ପିନ୍ଧାଲୁଗାକୁ ଛାଡିଦେଲେ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଛି । ଆଜି ସକାଳୁ ଖବର ପାଇଁ ରାଜସ୍ୱ ନିରିକ୍ଷକ ଓ ସରପଞ୍ଚ ପୁଷ୍ପଲତା ସାହୁ ଅଗ୍ନିବିପର୍ଣ୍ଣଙ୍କ ପାଖରେ ପହଞ୍ଚି ଜରିପାଲ ସହିତ ଶୁଖିଲା ଖାଦ୍ୟ ଓ ପିନ୍ଧିବା ପାଇଁ ଲୁଗାପଟା ପ୍ରଦାନ କରିଛନ୍ତି । ୬ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ମାଧ୍ୟମରେ ପକ୍କା ଘର ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏଥିସହିତ ଆଜି ଆଠଗଡ଼ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଗ୍ନିବିପନ୍ନ ମାନଙ୍କୁ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।