ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ବବି ଓ ତାରା

ଭୁବନେଶ୍ୱର(ଏସ୍‌ ନ୍ୟୁଜ): ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ ଜଣ। ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରାଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ତାରାପ୍ରସାଦ ବାହିନୀପତିଙ୍କ ନାଁ ସ୍ଥାନ ପାଇଛି। ଓଡ଼ିଶାର ଦୁଇ ବିଧାୟକ ଜାତୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବିଧାୟକମାନଙ୍କ କାର୍ଯ୍ୟ ଦକ୍ଷତା, ଲୋକ ସମ୍ପର୍କ, ବିଧାନସଭାରେ ବିତର୍କ ଓ ଯୋଗାଯୋଗର ସାମର୍ଥ୍ୟ ଆଦିକୁ ମାନଦଣ୍ଡ କରି ଏହି ସର୍ଭେ କରାଯାଇଥିଲା। ତାଲିକାରେ ଦେଶର ୪୧୨୩ ବିଧାୟକଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୦ଜଣ ବିଧାୟକଙ୍କୁ ଚୟନ କରାଯାଇଥିଲା। ଆଉ ଏହି ୫୦ ଜଣଙ୍କ ମଧ୍ୟରେ ନିଜର ସ୍ଥାନ ପକ୍କା କରିଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଏବଂ ତାରାପ୍ରସାଦ ବାହିନୀପତି (ଭାଲୁ ଭାଇନା)।

ବବି ଯାଜପୁରରରୁ ବିଜେଡ଼ି ବିଧାୟକ ରହିଥିବା ବେଳେ ତାଙ୍କୁ ଦଳର ଦ୍ଵିତୀୟ କ୍ଷମତା କେନ୍ଦ୍ର ବୋଲି କୁହାଯାଏ। ନୂତନ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲୋକଙ୍କ ସୁଖଦୁଃଖର ସାଥି ହୋଇ ସମସ୍ୟା ଦୂର କରିବାରେ ସେ ଅଗ୍ରଣୀ ଭୂମିକା ନେଇଛନ୍ତି । ଯାଜପୁର ସମେତ ସମ୍ପୂର୍ଣ୍ଣ ଓଡିଶାରେ ରକ୍ତ ଅଭାଵ ଦୂର କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ସବୁଜ ଓଡ଼ିଶା ଗଠନ ଓ ବିଜେଡି ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଥି ପାଇଁ ଆଜି ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି ।

ସେହିପରି ନିଜ ନିର୍ବାଚନ ମଣ୍ଡଳୀ ହେଉ ଅବା ରାଜ୍ୟ ସ୍ୱାର୍ଥ ପାଇଁ ବିଧାନସଭାରେ ସର୍ବଦା ସ୍ୱର ଉତ୍ତୋଳନ କରି ତାରା ପ୍ରସାଦ ବାହିନୀପତି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ଜୟପୁରରୁ କଂଗ୍ରେସ ବିଧାୟକ ଥିଲେ ମଧ୍ୟ ବିଧାନସଭାରେ ବିରୋଧିଦଳର ସ୍ୱର ତାଙ୍କରି ମୁହଁରୁ ବେଶୀ ଶୁଣିବାକୁ ମିଳେ। ତାଙ୍କର ନିଜସ୍ୱ କାର୍ଯ୍ୟଶୈଳୀ ଓ ଲୋକସମ୍ପର୍କ ଯୋଗୁଁ ସେ ମଧ୍ୟ ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।