ଶିଶୁକନ୍ୟା ବିକ୍ରି ଘଟଣା, ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାର କୋତପୁର ପଞ୍ଚାୟତ ସାନରାଇପଡା ଗାଁରେ ଶିଶୁକନ୍ୟା ବିକ୍ରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧର୍ମଶାଳା ପୋଲିସ। ଘଟଣାରେ ଶିଶୁ କନ୍ୟାର ବାପା, ଅଙ୍ଗନବାଡି କର୍ମୀ, ତାଙ୍କ ଭାଇ ଓ ଶିଶୁ କନ୍ୟାକୁ କିଣିଥିବା ଦମ୍ପତି ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ, ଗତ ୨୭ ତାରିଖରେ ସାନରାଇପଡା ଗାଁର ନଟବର ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା ଧର୍ମଶାଳା ମେଡିକାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଦରିଦ୍ର୍ୟତା କାରଣରୁ ନଟବର ଶିଶୁକନ୍ୟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ରହୁଥିବା ଜୈନିକ ଦମ୍ପତିକୁ ୧୨ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ବାପା ମାଙ୍କୁ ଅଧିକ ପଚରାଉଚରା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଧର୍ମଶାଳା ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଘଟଣାରେ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।