ନଭେମ୍ବର ୩ରେ ହେବ ବାଲେଶ୍ୱର ସଦର ଓ ତିର୍ତୋଲ ମତଦାନ

ବାଲେଶ୍ୱର(ଏସ୍ ନ୍ଯୁଜ) : ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବାଜିଲା ନିର୍ବାଚନ ବିଗୁଲ୍ ।ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି ।

ବିଜ୍ଞପ୍ତି ସହ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୬ ଯାଏ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୧୭ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ତାରିଖ ରହିଛି ।ଦୁଇଟି ଆସନ ପାଇଁ ମତଦାନ ପରେ ନଭେମ୍ବର ୧୦ରେ ଭୋଟଗଣତି ହେବା ସହ କୋଭିଡ୍ କଟକଣା ଭିତରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି ।

ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୮୦ ବର୍ଷରୁ ଅଧିକ ବୟସର ଭୋଟର, ଦିବ୍ୟାଙ୍ଗ ଭୋଟର ଏବଂ କୋଭିଡ୍‌-୧୯ ଆକ୍ରାନ୍ତ ତଥା ସନ୍ଦିଗ୍ଧ କୋଭିଡ୍‌ ଭୋଟର କିପରି ଭାବରେ ପୋଷ୍ଟାଲ୍‌ ବାଲାଟ୍‌ ମାଧ୍ୟମରେ ମତଦାନ କରି ପାରିବେ, ସେ ନେଇ ଗତକାଲି ସମୀକ୍ଷା ହୋଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ଏ ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶଦ ଆଲୋଚନା କରିଛନ୍ତି।

ନାମାଙ୍କନ ଦାଖଲର ପ୍ରଥମ ଦିନରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅର୍ଥାତ ଅକ୍ଟୋବର ୧୪ ସୁଦ୍ଧା ଏହି ଶ୍ରେଣୀର ଭୋଟରମାନେ ପୋଷ୍ଟାଲ୍‌ ବାଲାଟ୍‌ ପାଇଁ ଫର୍ମ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବା ଲାଗି କୁହାଯାଇଛି। ଅକ୍ଟୋବର ୨୧ ତାରିଖଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ପୋଲିଂ ଅଧିକାରୀଙ୍କ ଦ୍ବାରା ଘରକୁ ଘର ସଂପୃକ୍ତ ବ୍ୟକ୍ତି ଦେଇଥିବା ଠିକଣାରେ ପୋଷ୍ଟାଲ୍‌ ବାଲାଟ୍ ଯୋଗାଇ ଦିଆଯିବ। ସମ୍ପୁର୍ଣ୍ଣ ଗୋପନୀୟତା ମଧ୍ୟରେ ସମ୍ପୃକ୍ତ ଭୋଟର ପୋଷ୍ଟାଲ ବାଲାଟ୍‌ରେ ମତଦାନ କରିସାରିବା ପରେ ମୁଦା ଲଫାପାରେ ପୋଷ୍ଟାଲ୍‌ ବାଲାଟ୍‌କୁ ପୁଣିଥରେ ପୋଲିଂ ଅଧିକାରୀଙ୍କୁ ଫେରାଇବେ। ଏହି ସଂପୂର୍ଣ୍ଣ ପ୍ରକ୍ରିୟା ନିର୍ଦ୍ଧାରିତ ଭୋଟ ଗ୍ରହଣ ଦିବସର ଏକ ଦିନ ପୂର୍ବରୁ ସରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।