ଚାଲିଚାଲି,ସାଇକେଲ୍ ପରେ ଗାଡି ପ୍ରଚାରରେ ନିର୍ଦଳୀୟ ନାୟକ ବେଣୁ ମଉସା

ଭୁବନେଶ୍ୱର (ଏସ ନ୍ୟୁଜ ): ଉପ-ନିର୍ବାଚନ ଯେତିକି ପାଖେଇ ଆସୁଛି ,ପ୍ରଚାର ସେତିକି ଜମୁଛି । ଆଉ ଏହି ପ୍ରଚାର ଭିତରେ ଚର୍ଚ୍ଚାରେ ରହିଛନ୍ତି ବାଲେଶ୍ୱରରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ। ବୟସର ଅପରାହ୍ନରେ ମଧ୍ୟ ସେ କିଛି ନୂତନତାର ବାର୍ତ୍ତା ନେଇ ବାଲେଶ୍ୱରବାସୀଙ୍କ ଲୋକ ପ୍ରତିନିଧି ଭାବରେ ନିଜକୁ ଦେଖିବାକୁ, ଆଉ ସେମାନଙ୍କ ପାଇଁ କିଛି କରିବାକୁ ଅଣ୍ଟା ଭିଡିଛନ୍ତି । ଆଉ ଏହି ନିର୍ଵାଚନ ବୈତରଣୀ ପାର ହେବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି । ଆଉ ତାଙ୍କ ପ୍ରଚାରର ନିଆରା ଢାଞ୍ଚା ହିଁ ସମସ୍ତଙ୍କ ମନକୁ ମୋହିଛି । ଯେଉଁଥିରେ ମୋହିତ ହୋଇ ଟଙ୍କା, କ୍ଷମତା ନଥାଇ ଏକାକୀ ଲଢ଼ୁଥିବା ଏହି ନିର୍ଦଳୀୟ ନାୟକ ପାଇଁ ସ୍ୱେଚ୍ଛାସେବୀ ,କଳାକାର ଓ ସାଧାରଣ ଜନତା ପ୍ରଚାର କରୁଛନ୍ତି । ପ୍ରଚାର ପାଇଁ କିଏ ସାଇକେଲ ଦେଉଛନ୍ତି ତ କିଏ ଜିପ।

ଉପ-ନିର୍ବାଚନ ତାତି ବେଶ ସରଗରମ ହେଉଛି ବାଲେଶ୍ୱରରେ। ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଆଉ ଏହି ଭୋଟ ଭିକ୍ଷାକୁ ନେଇ ବଡ଼ ବଡ଼ ରାଲି, ହେଭିୱେଟ ନେତାଙ୍କ ପ୍ରଚାର ଭିତରେ ୮୦ ବର୍ଷର ବେଣୁଧର ନିର୍ବାଚନ ଲଢୁଛନ୍ତି । ତିନୋଟି ଦଳର ପ୍ରଚାରରେ ସେ ଫିକା ପଡ଼ିଛନ୍ତି ସତ । କିନ୍ତୁ ତାଙ୍କ ପ୍ରଚାରର ଢାଞ୍ଚା ସମସ୍ତଙ୍କୁ ବେଶ ବିମୋହିତ କରିଛି । ଏବେ ଜିପରେ ବୁଲି ବେଣୁଧର ମଉସା, ନିର୍ବାଚନ ପ୍ରଚାର କରୁଛନ୍ତି । କେତେ ବେଳେ ସାଇକେଲ ଧରି, ତ ଆଉ କେତେବେଳେ ଚାଲି ଚାଲି ଭୋଟ୍ ମାଗୁଛନ୍ତି। ପ୍ରଥମେ ଚାଲି ଚାଲି ପ୍ରଚାର କଲେ । ତା ପରେ ସାଇକେଲ ପରେ ଅଟୋ ଓ ଏବେ ଗାଡିରେ ପ୍ରଚାର କରିଛନ୍ତି ବେଣୁଧର ବାରିକ। ଜୀତ ହେବକି ହାର ସେ ଜାଣିନାହାନ୍ତି ତଥାପି ତିନ ପ୍ରମୁଖ ଦଳ ସହ ତାଳ ଦେଇ ସେ ପ୍ରଚାର କରୁଛନ୍ତି ।

ତେବେ ଏହା ସତ୍ୟ ଯେ ସେ କୌଣସି ଦଳର ନୁହଁନ୍ତି , ଜିତିଲେବି ଏମିତି କିଛି ଜିଲ୍ଲା ପାଇଁ କରିପାରିବେ ନାହିଁ । ଲୋକେ ତାଙ୍କୁ ଭୋଟ ଦେବେ ବା କାହିଁକି ଏଭଳି ଅନେକ ପ୍ରଶ୍ନ ଭୋଟରଙ୍କ ମନରେ। ତଥାପି ତାଙ୍କ ସମର୍ଥନରେ ବାହାରିଛନ୍ତି। ନଭେମ୍ବର ୩ରେ ମତଦାନ ହେବାକୁ ଥିବା ବେଳେ ସ୍ୱାଧୀନ ନେତା ବେଣୁ ମଉସା, ବିଜେଡି ,ବିଜେପି ନା କଂଗ୍ରେସ କାହାର ଜିତ ହେଉଛି ତାହା ଦେଖିବାର ଅଛି।

ସେପଟେ ଆଜି ଠାରୁ ବିଜେଡିର ପ୍ରଚାର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ମୈଇଦାନରେ ନୁହେଁ ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ ନବୀନ । ସେହିପରି କମ୍ପୁଛି ପ୍ରଚାର ମଇଦାନ। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ବାଲେଶ୍ୱରରେ ଡେରା ପକାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାନସ ଦତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଠାରୁ ଆରମ୍ଭ କରି ବଡ ବଡ ନେତା କସରତ ଚଳାଇଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜ ସମର୍ଥକଙ୍କ ଶୋଭାଯାତ୍ରା, ସମାବେଶ ଓ ଘର ଘର ବୁଲି ପ୍ରଚାର କରୁଛନ୍ତି ।