ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକ ଏବଂ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କୋଭିଡ ଟେଷ୍ଟ କରାଯିବ। ବିଧାୟକଙ୍କ ବ୍ୟତୀତ ତାଙ୍କ ଡ୍ରାଇଭର ଓ ବିଧାନସଭାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମଧ୍ୟ କୋଭିଡ ଟେଷ୍ଟ ହେବ। ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ । ସକାଳ ୮.୩୦ରୁ ଆରମ୍ଭ ହୋଇ ୧.୩୦ରେ ପ୍ରଥମ ଓଳି ଟିକା ଦିଆଯିବାକୁ ଥିବା ବେଳେ ଅପରାହ୍ନ ୩ରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ କରୋନା ଟିକା ଦିଆଯିବା ନେଇ ସୂଚନା ଦିଆଯାଇଛି । ରିପୋର୍ଟ ନେଗେଟିଭ ଆସିଲେ ବିଧାୟକ ଓ କର୍ମଚାରୀଙ୍କୁ ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ଟିକା ନେଇ ନଥିବା ବ୍ୟକ୍ତି ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ । ଯଦି କୌଣସି ବିଧାୟକ ଭ୍ୟାକ୍ସିନର ଗୋଟିଏ ବି ଡୋଜ୍ ନେଇ ନଥିବେ ତେବେ ସେ ବିଧାନସଭାକୁ ଯାଇପାରିବେ ନାହିଁ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।