ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆଉ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା। ଗତକାଲିଠାରୁ ଝିପଝିପ ବର୍ଷା ହେଉଥିବାବେଳେ ଆଜି ସକାଳଠୁ ପ୍ରବଳ ବର୍ଷା ହେଉଛି। ଆଜି ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୧୪୫ ଓ ଭୁବନେଶ୍ୱରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବି ବଢ଼ିବ। ସେଥିପାଇଁ ଆଜି ୭ ଜିଲ୍ଲା ଓ ଆସନ୍ତାକାଲି ୫ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ୱାର୍ଣ୍ଣିଂ। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବେହାଲ ରାଜଧାନୀ ଭୁବନେଶ୍ୱର।

*ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି। ବୁଡିଲା ବୋଲେରୋ, ଭାସିଲା ଟ୍ରାକ୍ଟର।
*ଜାତୀୟ ରାଜପଥରେ ଘଣ୍ଟାଘଣ୍ଟା ଧରି ଚାଲିଲା ପାଣିର ପ୍ରବଳ ସୁଅ।
*ସମାନ ସ୍ଥିତି ରାଜଧାନୀର ବମିଖାଲ ଅଞ୍ଚଳରେ। ରାସ୍ତା ଉପରେ ଅଣ୍ଟାଏ ପାଣି। ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଲା। ଗାଡି ମୋଟର ବୁଡ଼ିଯାଇଥିଲା।
ସ୍ମାର୍ଟ ସିଟି ଭୁବନେଶ୍ୱର ଉବୁଟୁବୁ । ଚାରିଆଡେ ପାଣି ଆଉ ପାଣି । ସୋମବାର ସକାଳୁ ମୁଷର ଧାରାରେ ବର୍ଷା ଯୋଗୁଁ ସାରା ସହର ଜଳାର୍ଣ୍ଣବ ।
*ବସ୍ତିରୁ ଭିଆଇପି କଲୋନି ପର୍ଯ୍ୟନ୍ତ ସବୁ ଜାଗା ବର୍ଷା ଜଳରେ ଉବୁଟୁବୁ ହୋଇଛି ।
*ରାଜପଥକଡର ଉଠା ଦୋକାନରୁ ଆରମ୍ଭ କରି ବଡବଡ ସୋ’ ରୁମ୍ ପର୍ଯ୍ୟନ୍ତ ସବୁ ପାଣିରେ ବୁଡିଛି ।

*କେଉଁଠି ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଘଂଟା ଘଂଟା ଧରି ଜମି ରହିଲା ତ କେଉଁ ଗଳିକନ୍ଦିରେ ପାଣିର ପ୍ରଖର ସୁଅ ଛୁଟିଥିଲା । କାଗଜ ଡଙ୍ଗା ଭଳି ବାଇକ୍ ଓ କାର୍ ସବୁ ଭାସିଲା । ବଡ କଥା ହେଉଛି, ଆଜି ରାଜଧାନୀର କେତେକ ସ୍ଥାନ ବେଶ୍ କିଛି ସମୟ ପର୍ଯ୍ୟନ୍ତ ବିଚ୍ଛିନ୍ନାଚଂଳ ପାଲଟି ଯାଇଥିଲା । ଡ୍ରେନ, ରାସ୍ତା, ଡିଭାଇଡର୍ ସବୁ ଏକାକାର ହୋଇଗଲା ।
*କେଉଁଠି ଘର ଦବି ଛାତରୁ କାନ୍ଥ ଅଲଗା ହୋଇଗଲା ତ କେଉଁଠି ଗଛ ଉପୁଡି ରାସ୍ତାରେ ଶୋଇଲା । ଲଘୁଚାପ ଜନିତ ଏହି ଲଗାଣ ବର୍ଷା ଆଜି ସ୍ମାର୍ଟସିଟିକୁ ଏମିତି ବେହାଲ୍ କରି ପକାଇଥିଲା ।
ଗତରାତିରୁ ରାଜଧାନୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ଆଜି ସକାଳୁ ଢୁ ଢୁ ବର୍ଷା ଗାଳିଲା । ପୂର୍ବରୁ କେତେକ ନିର୍ଦ୍ଧିଷ୍ଟ ସ୍ଥାନ ବର୍ଷା ପାଣିରେ ବୁଡୁଥିଲା । ହେଲେ ଆଜି ବର୍ଷା ସବୁ ରେକର୍ଡ ଭାଙ୍ଗି ଦେଲା ।

*ନୂଆପଲ୍ଲୀ ଇସ୍କନ ମନ୍ଦିର ପାଖରେ ସ୍ୱାଭାବିକ ଭାବେ ଛାତିଏ ଉଚ୍ଚାର ପାଣି ଘଂଟା ଘଂଟା ଧରି ଜମା ହୋଇଥିଲା । ସବୁଥର ଭଳି ଏଥର ବି ଏଠାରେ ଗାଡିମଟର ସବୁ ଭାସିଥିଲା ।
*ତେବେ ଆଜି ରାଜମହଲ ଛକର ସ୍ଥିତି ଦେଖିବା ଭଳି ଥିଲା । ଏହି ଛକରେ ପ୍ରାୟ ୨ ଫୁଟ୍ରୁ ଅଧିକ ଉଚ୍ଚରେ ପାଣି ଜମିବା ସହ ଜନପଥରେ ମାଷ୍ଟରକ୍ୟାଟିଂ? ଛକ ଆଡକୁ ସୁଅ ପଡିଥିଲା ।
*ରାଜମହଲରୁ ମାଷ୍ଟରକ୍ୟାଟିଂନ୍ ଛକ ପର୍ଯ୍ୟନ୍ତ ଜନପଥ ବନ୍ୟା ସମୟର ଏକ ଉଚ୍ଛୁଳା ନଦୀର ଭ୍ରମ ସୃଷ୍ଟି କରିଥିଲା ।
*ଜନପଥରେ ଥିବା ପ୍ରାୟ ୪୦ ସୋ’ ରୁମ୍ ଓ ଦୋକାନରେ ପାଣି ପଶି ଯାଇଥିଲା । ପ୍ରାୟ ୩ ଘଂଟା କାଳ ଗ୍ରାହକ ଓ ବ୍ୟବସାୟୀମାନେ ଜଳବନ୍ଦୀ ହୋଇ ରହିଥିଲେ । ଇଲେକ୍ଟ୍ରୋନିକ୍ସ ସୋ’ରୁମ୍ରେ ପାଣି ପଶି ଯିବାରୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ହୋଇଥିବା କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି । ବେଶି ସମସ୍ୟାରେ ପଡିଥିଲେ ବସ୍ ଯାତ୍ରୀମାନେ । ବସ୍ରୁ ଓହ୍ଲାଇବା ପରେ ସେମାନେ ସୁରକ୍ଷିତ ଭାବେ ଠିଆ ହେବାକୁ ଜାଗା ନପାଇ ବର୍ଷାରେ ଭିଜିବାକୁ ବାଧ୍ୟ ହୋଇଥିଲେ ।
*ସେହିଭଳି ଡୁମୁଡୁମା ରଘୁନାଥନଗରରେ ଗତକାଲି ଲଗାଣ ବର୍ଷା ଯୋଗୁଁ ୪ ମହଲା ଘର ୩ ଫୁଟ ଦବି ଯିବା ସହ ଫାଟି ଆଁ କରିଥିଲା ।