ବୌଦ୍ଧ ଜିଲ୍ଲା ଲୁଣିବାହଲ ଠାରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ

ମୃତ୍ୟୁ ଘଟିବା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି….

ବୌଦ୍ଧ : ବିଶାଖାପାଠଣାରୁ ମାଲ ପରିବହନ କରି ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥରେ ଝାରସୁଗୁଡା ଅଭିମୁଖେ ଯାତ୍ରା କରୁଥିବା ଏକ ଟ୍ରକ ଚାଳକ ହଠାତ ବାଟରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନା ମତେ ବିହାର ରାଜ୍ୟର ଲଛମନ ଶର୍ମା ନାମକ ଜଣେ ଟ୍ରକ ଚାଳକ ଏପି ୩୧-ଟିଏଫ ୬୯୯୧ ଟ୍ରକଯୋଗେ କେମିକାଲ ବୋଝେଇ କରି ବିଶାଖାପାଟଣାରୁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବୌଦ୍ଧ ଲୁଣିବାହଲ ଦେଇ ଝାରସୁଗୁଡା ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ହଠାତ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ।

ତେଣୁ ସେ ଲୁଣିବାହଲ ରାସ୍ତା ପାର୍ଶ୍ଵରେ ଗାଡିରଖି ଏକ ଔଷଧ ଦୋକାନରୁ ଔଷଧ କିଣୁଥିବା ସମୟରେ ହଠାତ ବାନ୍ତିକରି ସଂଜ୍ଞାହୀନ ଅବସ୍ଥାରେ ତଳେ ପଡିଯାଇଥିଲେ। ତାଙ୍କୁ ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନେଇ ନିକଟସ୍ଥ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଭାବେ ରାଜ୍ୟ ବାହାରର ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରୁଣାକଟକ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁକରି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।