୧୧ କେ.ଭି. କରେଣ୍ଟ ହଠାତ୍ ଚାର୍ଜ ହେବାରୁ ଟାଟା ପାୱାରର ଠିକା କର୍ମଚାରୀ ଗୁରୁତର ଆହତ

Latest Breaking 11 kV Tata Power’s contractor was seriously injured in the crash…

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌): ମରାମତି କାର୍ଯ୍ୟ ବେଳେ, ୧୧ କେ.ଭି. କରେଣ୍ଟ ହଠାତ୍ ଚାର୍ଜ ହେବାରୁ ଟାଟା ପାୱାରର ଠିକା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ କର୍ମଚାରୀ ଭବାନୀ ଶଙ୍କର ମହାନ୍ତ ୧୨ ଫୁଟ୍ ଉଚ୍ଚତାରୁ ଖସିପଡିଥିବା ବେଳେ ତାଙ୍କ ଶରୀରର ୨୫ ରୁ ୩୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥଲା, ତେବେ ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଆଜି ସନ୍ଧ୍ୟା ସମୟରେ ଦଲକି ବସ୍ତି ନିକଟରେ ଥିବା ଏକ ୧୧ କେ. ଭି. ବିଦ୍ୟୁତ୍ ଖୁଣ୍ଟରେ ମରାମତି ପାଇଁ ଲାଇନ୍ ସଟଡାଉନ୍ ନିଆଯାଇଥିଲା । ଭବାନୀ ଖୁଣ୍ଟରେ ଚଢ଼ି ଜମ୍ପର ଖୋଲୁଥିବା ବେଳେ, ଏହି ସମୟରେ ହଠାତ୍ ୧୧ କେ.ଭି. ଲାଇନ୍ ଚାର୍ଜ ହୋଇଥିଲା, ଯାହାଫଳରେ ଭବାନୀଙ୍କୁ ଶକ୍ତ ବିଦ୍ୟୁତ୍ ଆଘାତ ଲାଗିଥିଲା । ତାଙ୍କ ଶରୀରର କିଛିଭାଗ ପୋଡ଼ିଯିବା ସହ ସେ ୧୨ ଫୁଟ ତଳକୁ ଖସିପଡ଼ିଥିଲେ ।

ତେବେ କାହା ଭୁଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଲା, ସଟ୍ ଡାଉନ୍ ନେଇ କର୍ମଚାରୀ ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲା ବେଳେ, କିଏ ଓ କାହିଁକି ଲାଇନ୍ ଚାର୍ଜ କଲା ତାହା ତଦନ୍ତର ବିଷୟ । ଏନେଇ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ,Shaksi News .