‘ଧରାପଡ଼ିବାରୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ବୋଲାଇଲୁ’

ଭୁବନେଶ୍ୱର: ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଭିଯୋଗ ଆଣି ରାଜ୍ୟ ସରକାର ଆଜି ୧୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦଣ୍ଡ ପାଇଥିବା ୧୪ ଅଧିକାରୀଙ୍କ ଭିତରୁ ଚାରିଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଚାରିଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୬ ଜଣଙ୍କର ପେନ୍‌ସନ୍‌ ରାଶିକୁ ସ୍ଥାୟୀ ଭାବେ ଅଟକାଇ ଦିଆଯାଇଛି ।
ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ ପାଇଥିବା ଅଧିକାରୀଙ୍କ ଭିତରୁ ଦୁଇଜଣ ଫାଇଭ୍‌ ଟି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକୁ ସମାଲୋଚନା କରିଛନ୍ତି । ସେମାନେ କହିଛନ୍ତି, ‘ଏଠାରେ ମହା ମହା ଖେଳୁଆଡ଼ ଗୋଟିଏ ଦସ୍ତଖତ ମାରି କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ରାଜକୋଷକୁ ନିଇତି ଫାଙ୍କା କରୁଛନ୍ତି । ସେମାନଙ୍କୁ ଖସାଇବା ପାଇଁ ସରକାରଙ୍କ ଜାଲରେ ବିରାଟ କଣା କରି ଦିଆଯାଉଛି । ଆମେ ନେଇଆଣି ଥୋଇ ପାରିଲୁନି ତେଣୁ ସରକାରଙ୍କ ଆଖିରେ ଧରା ପଡ଼ିଗଲୁ । ସରକାର ମାରମାର ଭଣ୍ଡାରିଆ ନୀତିକୁ ଆଦରି ନେଇଛନ୍ତି ।’

ସ୍ଥାୟୀ ପେନସନ୍‌ ଅଟକର ଶିକାର ହୋଇଥିବା ଚାରିଜଣ ଅଧିକାରୀ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିରେ ଆମେ ଦୋଷୀ କାରଣ ଆମ ବାଟ ଦେଇ ମନ୍ତ୍ରୀ, ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବୋଲକରା ଅଧିକାରୀମାନେ ବେଶି ଲୁଟିବାର ସୁଯୋଗ ପାଇଲେନି ।’

‘ଏ ସରକାରରେ ଯେଉଁ ଅଧିକାରୀ ଯେତେ ଅଧିକ ଲୁଟିବାର କଳା ହାସଲ କରିଛି । ସେମାନଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ମିଳୁଛି । ଆମେ ଅଗାଡ଼ି କାରଣରୁ ବିଦା ହେଲୁ ।’ ଏଭଳି ମନ୍ତବ୍ୟ ଦେଇଛନ୍ତି ଚାକିରିରୁ ବହିଷ୍କାର ଖାଇଥିବା ଦୁଇ ଅଧିକାରୀ ।

ଆଜିର ୧୪ ଅଧିକାରୀଙ୍କୁ ମିଶାଇ ମୋଟ ୧୮୭ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ୍‌-ଟି’ ଓ ‘ମୋ ସରକାର’ ସୁପାରିଶ ମୁତାବକ ଦୋଷୀ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ମାତ୍ର ‘ଫାଇଭ୍‌-ଟି’ ଅନ୍ତର୍ଗତ ସଚିବଙ୍କ ଢିଲା କାମକୁ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ କୌଣସି କମିଟି ଗଠନ କରିନାହାନ୍ତି । ମନ୍ତ୍ରୀ ଓ ବିଧାୟକଙ୍କ କଳା କାରନାମାକୁ ପଦାରେ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ କୌଣସି କମିଟି ଗଠନ କରିନାହାନ୍ତି ।