ପ୍ରେସ ଓ ମିଡ଼ିଆ ଲେଖା ଥିବା ଗାଡିକୁ ଯାଂଚ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି । ନିଜକୁ ସାମ୍ବାଦିକ କହି ଲୁଟୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୋଲିସ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ଯେଉଁ ମାନେ ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବା ବୋଲି ପୋଲିସ କମିଶନର କହିଛନ୍ତି । ଏହା ଦ୍ୱାରା ଅସାମାଜିକ ବ୍ୟକ୍ତି ଠାବ ହୋଇ ପାରିବେ । ଗାଡ଼ିରେ ପ୍ରେସ୍‌ ଲେଖି ଅନେକ ସମୟରେ ଅସାମାଜିକ ବ୍ୟକ୍ତି ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଅପରାଧୀ ମଧ୍ୟ ତାଙ୍କ ଗାଡ଼ିରେ ପ୍ରେସ୍‌ ଲେଖି ଅପରାଧିକ ଷଡ଼ଯନ୍ତ୍ର କରୁଥିବାର ନଜିର ରହିଛି । ଲକଡାଉନ୍ କାଳରେ ଗାଡ଼ିରେ ପ୍ରେସ୍‌ ଲେଖି କିଛି ସାଧାରଣ ଲୋକ ବୁଲାବୁଲି କରୁଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପୋଲିସ୍‌ ଜାଲରେ ପଡିଥିଲେ । ଏପରିକି କିଛି ଅସାଧୁ ବ୍ୟକ୍ତି ନକଲି ପ୍ରେସ କାର୍ଡ୍ ମଧ୍ୟ ବିକ୍ରି କରୁଥିଲେ । ଏହି ସବୁ ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବ କମିଶନରେଟ ପୋଲିସ ।

ଏଥିସହିତ କିଛି ଲୋକ ଗାଡିରେ ପ୍ରେସ୍ ବା ମିଡ଼ିଆ ସିମ୍ବଲକୁ ବ୍ୟବହାର କରି ଟୋଲ ଗେଟ, ପୋଲିସ ଚେକ ପୋଷ୍ଟ ଓ ଅନ୍ୟାନ୍ୟ ଜାଗାରୁ ଖସିଯିବାକୁ ଚେଷ୍ଠା କରୁଛନ୍ତି । ଏହାକୁ ରୋକିବାକୁ ହେଲେ ପୋଲିସକୁ ରାସ୍ତାରେ ପ୍ରେସ ଓ ମିଡ଼ିଆ ଲେଖା ଥିବା ଗାଡିକୁ ଯାଂଚ କରିବାକୁ ପଡିବ । ଏଥିରେ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କର ସହଯୋଗର ଆବଶ୍ୟକତା ରହିଛି । ତେବେ ଖୁବଶୀଘ୍ର ଏଥିପାଇଁ ସ୍ପେଶାଲ ଡ୍ରାଇଭ କରାଯିବ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପ୍ରେସ ଗାଡି ଯାଂଚ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସରକାରଙ୍କ ଠାରୁ ସାମ୍ବାଦିକଙ୍କ ତଥ୍ୟ ମଗାଯାଇଛି, ଉକ୍ତ ତଥ୍ୟକୁ ଆଧାର କରି ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯିବ । ସରକାରୀ ନିୟମ ଅନୁସାରେ, ଯେଉଁମାନେ ସାମ୍ବାଦିକ ଅର୍ଥାତ ଫିଲ୍ଡ ରିପୋଟିଂ କରୁଥିବେ, ଏଟିଟର, ସବ-ଏଟିଟରମାନେ ହିଁ ପ୍ରେସ ଲେଖି ପାରିବେ । ଅନ୍ୟମାନେ ପ୍ରେସ ବା ମିଡ଼ିଆ ଲେଖିପାରିବେ ନାହିଁ । ତେଣୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଅନ୍ୟ କର୍ମଚାରୀମାନେ ଚେକିଂରେ ଧରାପଡିଲେ ଆଇନ ଅନୁସାରେ ମଧ୍ୟ ଦଣ୍ଡିତ ହେବେ । ଅନ୍ୟପକ୍ଷରେ ବିନାପଂଚିକରଣ ୱେବ ପୋଟାର୍ଲର ସାମ୍ବାଦିକମାନେ ପ୍ରେସ ବା ମିଡ଼ିଆ ଲେଖିପାରିବେ ନାହିଁ । ତେବେ ପୋଲିସର ଏଭଳି ପଦକ୍ଷେପକୁ ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି ।