ସ୍ଵାଧୀନତା ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତା ଦିବସର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି। ମହାନ ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇବା ସହ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନମାନଙ୍କ ପ୍ରତି ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା।

ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି। ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ଭିତ୍ତିଭୂମି ଆଦି ବିକାଶର ସବୁ କ୍ଷେତ୍ରରେ #5T ମନ୍ତ୍ରର ପ୍ରୟୋଗ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ, ମଧ୍ୟବିତ୍ତ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି।

ଓଡ଼ିଶାର ଅର୍ଥନୀତି ମଜଭୁତ ହେଉଛି। ଗରିବୀ କମିଛି। ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି। ବ୍ୟାଙ୍କ ସୁବିଧା ନଥିବା ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସବୁଠାରୁ ଅଧିକ ଉପକାର ପାଇବେ ବରିଷ୍ଠ ନାଗରିକ, ଆମର ମା’ମାନେ ଏବଂ ଭିନ୍ନକ୍ଷମ ଭାଇଭଉଣୀମାନେ।

ନିକଟରେ ମଧୁବାବୁ ପେନ୍‌ସନ ଯୋଜନାରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି। ଆଜିଠାରୁ ନୂଆ ହିତାଧିକାରୀମାନେ ପେନସନ୍ ପାଇବେ। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏ ଦିଗରେ ସଫଳତାର ସହ ସେବା ଯୋଗାଉଛି। ସମସ୍ତଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବା ନିଶ୍ଚିତ କରିଛି। #BSKY ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ରୂପାନ୍ତର ଆଣିଛି।

ମା’ମାନେ ବିକାଶର ପରିଚୟ ସାଜିଛନ୍ତି। ମିଶନ ଶକ୍ତି ଆଜି ମା’ମାନଙ୍କ ସଶକ୍ତିକରଣର ଇଞ୍ଜିନ୍ ହୋଇଛି। ସେମାନେ ଏବେ ବିକାଶର ପରବର୍ତ୍ତୀ ସୋପାନରେ ପହଞ୍ଚିଛନ୍ତି। ସେହିପରି ଚାଷୀଙ୍କ ବିକାଶ ସବୁବେଳେ ଆମର ପ୍ରାଥମିକତା ହୋଇ ରହିଛି। ଚାଷୀ ଭାଇଭଉଣୀଙ୍କ ଫସଲ ବୀମା ପ୍ରିମିୟମ୍ ଦାୟିତ୍ଵ ଏବେ ରାଜ୍ଯ ସରକାର ନେଇଛନ୍ତି।

ଯୁବ ସମାଜକୁ ନିଯୁକ୍ତ ଯୋଗ୍ୟ କରିବା ପାଇଁ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ‘ନୂଆ ଓଡ଼ିଶା’ ଯୋଜନାରେ ତାଲିମ ଦିଆଯିବ। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହ ପ୍ରତି ଗାଁରେ ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଆମର ଲକ୍ଷ୍ୟ। ଏଥିପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।

ଗରିବ ଲୋକ, ଚାଷୀ, ମହିଳା, ଜନଜାତି, କଳାକାର, ଯୁବଗୋଷ୍ଠୀଙ୍କ ସହ ସମାଜର ସବୁ ବର୍ଗର ଲୋକଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ଆଗକୁ ବଢୁଛି। ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ। ଆସନ୍ତୁ, ଏକ ସମୃଦ୍ଧ ଓଡ଼ିଶା, ଏକ ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବା।

ଜୟହିନ୍ଦ୍