ଦମ୍‌ ଥିଲେ ଅଦାଲତକୁ ଯାଆନ୍ତୁ; ବେଦାନ୍ତ ପକେଟରେ ମୁଖ୍ୟମନ୍ତ୍ରୀ ନବୀନ

ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱବିଦ୍ୟାଳୟର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ବାତିଲ କରିଛନ୍ତି ସୁପ୍ରିମକୋର୍ଟ । ବେଦାନ୍ତର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ନବୀନ ପଟ୍ଟନାୟକ ସରକାରଙ୍କ ଅଯାଚିତ ଅନୁକମ୍ପା ସ୍ପଷ୍ଟ ପ୍ରତିଫଳିତ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଇନ ଦୃଷ୍ଟିରେ ଅପରାଧି ପାଲଟି ଯାଇଛନ୍ତି । ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଜନଶୋଷଣ ନୀତିକୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି । କୌଣସି ଘରୋଇ ସଂସ୍ଥା କେବେ ଜନତାଙ୍କ ପାଇଁ କାଙ୍ଗାଳ ହେବାର ଉଦାହରଣ ନାହିଁ ।

ମାତ୍ର ଘରୋଇ କମ୍ପାନୀକୁ ଲାଭରେ ପହଂଚାଇବା ଲକ୍ଷ୍ୟରେ ସାଧାରଣ ଜନତାଙ୍କୁ ବାସବେଉସା ହରାଇବାର ଶତାଧିକ ଉଦାହରଣ ରହିଛି । ରାଜ୍ୟ ସରକାରଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରି ବେଦାନ୍ତ ପୁରୀ ଜିଲ୍ଲାରେ ପ୍ରାୟ ୮ ହଜାର ଏକର ଜମି ଅଧିଗ୍ରହଣ କରିବାକୁ ଚାହୁଁଥିଲା । ଆଇନଜୀବୀଙ୍କ ମତରେ ବେଦାନ୍ତ ପାଇଁ ନବୀନ ସରକାର ୧୫ଟି ବେଆଇନ କାମ କରି ଅଦାଲତକୁ ଟାଣି ହୋଇଯିବାର ବାଟ ତିଆରି କରିଛନ୍ତି । ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ପରାମର୍ଶକୁ ବ୍ରହ୍ମାଙ୍କ ବାଣୀ ଭାବେ ଗ୍ରହଣ କରି ନବୀନ ପଟ୍ଟନାୟକ ବେଦାନ୍ତ ଗ୍ରୁପ ମୁଖ୍ୟ ଅନିଲ ଅଗ୍ରୱାଲଙ୍କ ସବୁ ପରାମର୍ଶକୁ ଆଖିବୁଜି ଗ୍ରହଣ କରୁଥିଲେ ।

କୁକୁର ଆଗରେ ମାଂସ ଖଣ୍ଡେ ପକାଇ ଡକାୟତମାନେ ଘର ଲୁଟିବା ଭଳି ରାଜ୍ୟବାସୀଙ୍କୁ ଟଙ୍କାକରେ କିଲେ ଚାଉଳ ଓ କାଳିଆ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରାକୃତିକ ସଂପଦକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଇଛନ୍ତି । ଫଳରେ କମ୍ପାନୀ ଓ ବିଜେଡି ଭିତରେ ରାଧେ ରାଧେ କମ୍ପାନୀର ଅଧେକୁ ବିଜେଡିର ଅଧେ ନୀତି ଚାଲିଛି ।

ବେଦାନ୍ତ ପାଇଁ ରାଜ୍ୟର ପ୍ରାୟ ୩୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । କମ୍ପାନୀ ଓ ରାଜ୍ୟ ସରକାରଙ୍କ ପ୍ରତିଟି ପଦକ୍ଷେପକୁ ସୁପ୍ରିମକୋର୍ଟ ବେଆଇନ କହିବା ସତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଜନତାଙ୍କ ଦୋଷୀ ଭାବେ ସ୍ୱୀକାର କରିବାକୁ ନାରାଜ । ସାମ୍ବିଧାନିକ ସୁରକ୍ଷା ବଳୟରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନକୁ ହାତକୁ ନେଉଛନ୍ତି ।

ରାଜ୍ୟର ସାଢେ଼ ଚାରିକୋଟି ଜନତା ଏକଜୁଟ ନହେବା ଯାଏ ନବୀନ ପଟ୍ଟନାୟକ ଏମିତି ରାଜ୍ୟକୁ ଲୁଟି ଚାଲିଥିବେ । ନବୀନ ପଟ୍ଟନାୟକଙ୍କର ଦିଅଁ ଖାଇ ଖଟୁଲି ଖାଇବା ନିଶାକୁ ଭଲ ଭାବେ ଜାଣିଥିଲେ ତାଙ୍କ ବାପା ବିଜୁ ପଟ୍ଟନାୟକ । ଖାସ୍‌ ସେଇଥିପାଇଁ ସେ ବଂଚି ଥାଉଥାଉ ନବୀନଙ୍କୁ ରାଜନୀତିକୁ ଆଣି ନଥିଲେ । ମାତ୍ର ରାଜ୍ୟବାସୀଙ୍କ ବେଳା ଖରାପ ଥିଲା ।

ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ କିଛି ଶଠ ରାଜନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ରାଜ୍ୟବାସୀଙ୍କୁ ଲୁଟିବାକୁ ଯୋଜନା କରିଥିଲେ । ମାତ୍ର ଚତୁର ନବୀନ ସେମାନଙ୍କୁ ରାଜନୈତିକ ସମାଧି ଦେଇ ରାଜ୍ୟର ୨ କୋଟି ଭୋକିଲା ଭୋଟରଙ୍କୁ ଚାଉଳ ଓ ଟଙ୍କା ଦେଇ ସାଢେ଼ ଚାରିକୋଟି ଜନତାଙ୍କ ଜମି, ଜଳ, ଜଙ୍ଗଲ ଓ ଖଣିଜକୁ ଲୁଟୁଛନ୍ତି । ବିଜୁ ଜନତା ଦଳ ଏବେ ବିଶ୍ୱାସଘାତକ ଜନତା ଦଳ ପାଲଟି ଯାଇଛି ।