ଧୂମପାନ ଘଣାରେ ପଡ଼ି ତଣ୍ଡ ଗଣିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ!

ମଦ ପିଇ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ ଗଣିଛନ୍ତି ତଣ୍ଡ!

ଖୋଲାମେଲାରେ ମଦ ପିଇବା ଅପରାଧ । ତଥାପି ନିଶାସକ୍ତ ମଣିଷମାନେ ମଦ ପିଇ ରାସ୍ତାଘାଟରେ ହରକତ କରୁଥିବା ସମୟରେ ପୁଲିସ ହାତରେ ଧରାପଡ଼ି ତଣ୍ଡ ଗଣିଛନ୍ତି । ପ୍ରଶ୍ନ ଉଠୁଛି, ସର୍ବସାଧାରଣ ସ୍ଥାନରେ ମଦ ପିଇବା ଅପରାଧ ଜାଣି ମଧ୍ୟ ସେଭଳି ଅପରାଧ କରିବା ପାଇଁ ମଦୁଆଙ୍କ ମନରେ ସାହସ ଭରୁଛି କିଏ? ନିଶ୍ଚିତ ଭାବେ ପୁଲିସ ପୋଷାକ ତଳେ ଲୁଚିଥିବା ଘୋଡ଼ା ମଦୁଆଙ୍କ କାରଣରୁ ।

ଶୁଣିବାକୁ ମିଳିଛି, ଅକ୍ଟୋବର ପହିଲାରୁ ୩୧ ତାରିଖ ଭିତରେ ମଦ୍ୟପଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ପୁଲିସ କମିଶନରେଟ୍‌ ।

କେବଳ ସେତିକି ନୁହେଁ, ସିଗାରେଟ୍‌ ଟାଣୁଥିବା ଲୋକଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । କମିଶନରେଟ୍‌ ଦେଇଥିବା ସୂଚନା ମୁତାବକ ୬୬୮ ଜଣ ଲୋକ ସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣୁଥିବା ବେଳେ ପୁଲିସ ସେମାନଙ୍କ ନିକଟରେ ପହଂଚି ଜରିମାନା ବାବଦକୁ ପ୍ରାୟ ୭୨ ହଜାର ଟଙ୍କା ଆଦାୟ କରିଛି ।

କମିଶନରେଟ୍‌ ପୁଲିସ କହିବା ଅନୁସାରେ ୨୫ ଲକ୍ଷରୁ ଅଧିକ ଲୋକ ରହୁଥିବା ଭୁବନେଶ୍ୱରରେ ମାତ୍ର ୬୬୮ ଜଣ ସାହସୀ ଧୂମପାନକାରୀ ରହିଛନ୍ତି! ବାକି ରହିଥିବା ଧୂମପାନକାରୀଙ୍କ ନିକଟରେ ସାହସର ଅଭାବ ରହିଛି ।

ପୁଲିସ ବିଭାଗ ଭଲ ଭାବରେ ଜାଣିଛି । ବେଶ କିଛିବର୍ଷ ତଳେ ଭୁବନେଶ୍ୱରକୁ ଧୂମପାନ ମୁକ୍ତ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ତାର ସହିତ ଘୋଷଣା କରିଥିଲେ । ମାତ୍ର ନିର୍ବାଚନ ପ୍ରଚାର ସମୟରେ ସ୍ୱତନ୍ତ୍ର ବସ ଭିତରେ ବସିଥିଲା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ଦେଖିବାକୁ ପାଇଛନ୍ତି ସାଧାରଣ ଜନତା ।