ଆଶୀର୍ବାଦ ନା ଅଭିଶାପ: ବେକରେ ଭଦ୍ରକ ନାଗ ପକାଇଛନ୍ତି ସଂଜୟ

ବ୍ରହ୍ମଗିରି ଆଉ ସଂଜୟ ଦାସବର୍ମାଙ୍କ ଆୟତରେ ନାହିଁ । ବ୍ରହ୍ମଗିରି ବିଧାନସଭା ମଣ୍ଡଳୀର ପାଣି, ପବନ, ମାଟି ସଂଜୟ ବାବୁଙ୍କୁ ଭାରି ଗନ୍ଧେଇଲା । ଏଥର ନିର୍ବାଚନରେ ଜିତିବାର ଲକ୍ଷଣ ନ ଦିଶିବାରୁ ମୁଖିଆଙ୍କ ଆଦେଶ ମାନି ଭଦ୍ରକ ଜିଲ୍ଲାର ଦାୟିତ୍ୱ ମୁଣ୍ଡାଇଛନ୍ତି । ଭଦ୍ରକ ଜିଲ୍ଲାର ସବୁ ବିଧାନସଭା ଆସନରେ ବିଜେଡିକୁ ଜିତାଇଦେଲେ, ସଂଜୟଙ୍କ ପାଇଁ ରାଜ୍ୟସଭାକୁ ଯିବା ସହଜ ହୋଇଯିବ ।

ସଂଜୟ ଏବେ ଯୋଉ ବୟସରେ ପହଂଚିଲେଣି, ସେହି ବୟସରେ ଦଳୀୟ ପତାକା ଗାଡ଼ିରେ ଲଗାଇ ଗଳିକନ୍ଦି ବୁଲିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏଟା ମୁଁ ନୁହେଁ, ଖୋଦ ସଂଜୟ ତାଙ୍କ ଦଳର କର୍ମୀଙ୍କ ଆଗରେ କହୁଥିବାର ଶୁଣିବାକୁ ମିଳୁଛି ।

ଏବେ କଥା ଉଠୁଛି, ଭଦ୍ରକ ଜିଲ୍ଲାରେ ବିଜେଡିକୁ ମଜଭୁତ କରିବା ଭଳି ଭିଡ଼ କାମକୁ ସଂଜୟ ତୁଲାଇ ପାରିବେ? ଏମିତି ତ ଶରୀର ଆଉ ଅଧିକ ବୋଝ ମୁଣ୍ଡାଇବାକୁ ମନା କରୁଛି ବୋଲି ଖୋଦ୍‌ ସଂଜୟ କହୁଛନ୍ତି । ତା’ ସତ୍ୱେ ଗୁରୁଦାୟିତ୍ୱଟା ମୁଣ୍ଡକୁ ନେଇ ସଂଜୟ ଆପଣା ଗୋଡ଼ରେ କୁରାଢ଼ି ମାରି ନାହାନ୍ତି ତ?

ନା, ସେଇଟା ଜମାରୁ ହୋଇ ନଥିବ । ମୁଖିଆଙ୍କ ନିକଟରୁ ସେଭଳି ଟାଣୁଆ ପ୍ରତିଶ୍ରୁତି ନପାଇ ସଂଜୟ ଆପଣା ବେକରେ ନାଗଟିଏ ପକାଇ ନଥିବେ । ଦେଖାଯାଉ ଭଦ୍ରକ ନାଗକୁ ବଶ କରିବା ପାଇଁ ସଂଜୟଙ୍କ ପେଡ଼ିରେ କୋଉ ଗଦ ରହିଛି?