ସମ୍ଭାବ୍ୟ ବାତ୍ୟା ନେଇ ଆଗୁଆ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ସମ୍ଭାବ୍ୟ ବାତ୍ୟାର ଆଗୁଆ ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ବିଭିନ୍ନ ବିଭାଗ ସହ ଆଲୋଚନା କରିଛନ୍ତି। ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତୁତି ଓ ନିର୍ଦ୍ଦେଶ ନେଇ ଏସଆରସି ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ମିଳିଛି।

ପୂର୍ବରୁ ମେ’ ମାସରେ ବାତ୍ୟା ହେଉଥିବାରୁ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲପାଳମାନଙ୍କୁ କୁହାଯାଇଥିବା ବେଳେ ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ଚାଲିଛି। ଏନଡିଆରଏଫ, ଓଡ୍ରାଫ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରଖାଯାଇଛି। ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ କୁହାଯାଇଛି। ପରବର୍ତ୍ତୀ ଅବସ୍ଥା କଣ ହେବ ପାଣିପାଗ ବିଭାଗ ଆକଳନ କରିବ। ଆମେ ପ୍ରସ୍ତୁତ ରହିଛୁ, କିଛି ବି ହେଲେ ମୁକାବିଲା କରିପାରିବୁ ବୋଲି ସାମ୍ବାଦିକ ସମ୍ମିଳନୀ ଯୋଗେ ଏସଆରସି ସୂଚନା ଦେଇଛନ୍ତି।