ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ପାଇବେ ୧୨୦ ଗାଁ

କଳାହାଣ୍ଡି(ଏସ୍ ନ୍ଯୁଜ): ବାନେରଠାରେ ନବନିର୍ମିତ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ବିତରଣର ଶୁଭାରମ୍ଭ ହୋଇଛି । ସିଧାସଳଖ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ ବିଦ୍ୟୁତ ବିତରଣର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାକୁ ନେଇ କଳାହାଣ୍ଡିରେ ବିଦ୍ୟୁତ୍‌ ସେବା କ୍ଷେତ୍ରରେ ନୂଆଫର୍ଦ୍ଦ ଯୋଡ଼ିହେଲା । ଏହି ଗ୍ରୀଡ୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାର ୧୨୦ଟି ଗାଁର ୨୭ ହଜାର ଲୋକ ଉପକୃତ ହେବେ। କୋକସରା ବ୍ଲକର ଲଡୁ ଗାଁ ସବଷ୍ଟେସନରୁ ୫୧ଟି ଗାଁ ଓ ଜୟପାଟଣା ବ୍ଲକର ୨୫ ଟି ଗାଁର ୧୬ ହଜାର ବିଦ୍ୟୁତ ଗ୍ରାହକ ଉପକୃତ ହେବେ ।
କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହା ସହ ଧର୍ମଗଡ ଓ ଲାଞ୍ଜିଗଡ ବିଧାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।

ପୂର୍ବରୁ ଇନ୍ଦ୍ରାବତୀରୁ ଥିରୁଭାଲିକୁ ବିଦ୍ୟୁତ୍ ପରିବହନ ହେଉଥିଲା । ସେଠାରୁ କଳାହାଣ୍ଡିକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଥିଲା। ଏବେ ଏହାକୁ ୨୨୦କେଭିକୁ ଉନ୍ନୀତ କରାଯାଇ ଲଡୁଗାଁ ଓ ବଡୁକୁଟ୍‌ରୁକୁ ୩୩ କେଭି ଲାଇନ୍‌ରେ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

ସୂଚନାଯୋଗ୍ୟ, ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଆଜିଠୁ କଳାହାଣ୍ଡିବାସୀ ବିଜୁଳି ପାଇବେ । ଏହାକୁ ନେଇ ଜିଲ୍ଲବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇଛି । କଳାହାଣ୍ଡି ଜିଲ୍ଲାରୁ ଶକ୍ତିମନ୍ତ୍ରୀ ଭାବେ ସ୍ଥାନ ପାଇଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ ଯୋଗୁଁ ବହୁ ପ୍ରତିକ୍ଷତ ଦାବି ପୁରଣ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଛି ।