୧୦ ଲକ୍ଷ ଟପିଲା କରୋନା ଟେଷ୍ଟିଂ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏସ୍‌ ନ୍ୟୁଜ): ରାଜ୍ୟରେ ୧୦ ଲକ୍ଷରୁ ଅଧିକ କରୋନା ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଗତ ୨୪ ଘଣ୍ଟାରେ ୫୦ ହଜାର ୫୨୫ କୋଭିଡ୍ ନମୂନା ପରୀକ୍ଷା କରାଯାଇଥିବା ବେଳେ ମୋଟ ଟେଷ୍ଟିଂ ସଂଖ୍ୟା ୧୦ ଲକ୍ଷ ପାର ହୋଇଛି।

ଗଞ୍ଜାମରେ ସର୍ବାଧିକ ୬୫ ହଜାରରୁ ଅଧିକ ଟେଷ୍ଟିଂ କରାଯାଇଛି। କରୋନା ମୁକାବିଲାରେ ଦେଶରେ ଓଡିଶା ଅଗ୍ରଣୀ ଭୂମିକା ତୁଲାଇଥିବାରୁ ଶ୍ରୀ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩ଶହ ପାର ହୋଇଯାଇଛି।

ଲକଡାଉନ୍, ସଟଡାଉନ୍, କଣ୍ଟେନମେଣ୍ଟ୍ ଜୋନ୍ ଭଳି ପ୍ରତିଷେଧକ ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ପ୍ରତ୍ୟେକ ଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେବା ବିଭିନ୍ନ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ଏହି ପରିସ୍ଥିତିରେ ସାହସର ସହ କାର୍ଯ୍ୟ ଜାରି ରଖିଥିବା କରୋନା ଯୋଦ୍ଧାମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।