ବଙ୍ଗୋପସାଗରରେ ଗର୍ଜୁଛି ଭୀଷଣ ବାତ୍ୟା ଅସାନି, ପୁରୀ ଠାରୁ ୮୮୦ କିମି ଦୂରରେ ବାତ୍ୟା ଆସାନି

Cyclone-Asani storm was 880 km from Puri

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଂପୃକ୍ତ ଜିଲ୍ଲାର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ୧୦ ତାରିଖ ଅପରାହ୍ନ ସୁଦ୍ଧା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବଙ୍ଗୋପସାଗରରେ ସୃଷ୍ଚ ବାତ୍ୟା ଅସାନି ଏହା ଉପକୂଳ ଅତିକ୍ରମ କରୁ ନଥିବାରୁ ବାତ୍ୟା ଭୟ ତ ଟଳିଛି, ହେଲେ ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ଚାଷୀକୂଳ ।

ହେଲେ ପୂର୍ବ ଭଳି ଆଜି ବି ଆଇଏମଡିର ଆକଳନ କହୁଛି, ସମୁଦ୍ରରେ ଯେତେ ବଳ ଗୋଟାଇଲେ ବି ଏହା ପ୍ରବଳ ବାତ୍ୟାରେ ହିଁ ସୀମିତ ରହିବ । ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ । ୧୦ ତାରିଖରେ ଏହା ବଙ୍ଗୋପସାଗରର ପଶ୍ଚିମରେ କେନ୍ଦ୍ରୀଭୂତ ହେବା ପରେ କ୍ରମଶଃ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ ।

ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଅତି ବେଶିରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ତେବେ ଆସନ୍ତାକାଲିଠୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କ ସତର୍କ ସୂଚନା ଜାରି ହୋଇଛି ।

ତେବେ ବର୍ତମାନ ସୁଦ୍ଧା ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଗର୍ଜୁଛି । ଆସାନି ପୁରୀ ଠାରୁ ୮୮୦ କିମି ଦୂରରେ ଉତ୍ତର ଉତ୍ତର-ପୂର୍ବ ଦିଗରେ ଅତି ବେଶିରେ ୪୦ରୁ ୬୦ କିଲୋମିଟର ବେଗରେ ମାଡି ଆସୁଛି । ସୂଚନା ଅନୁଯାଇ ବାତ୍ୟା ୧୦ ତାରିଖ ସନ୍ଧ୍ୟା ସମୟରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। ହେଲେ ସ୍ଥଳ ଭାଗକୁ ଆସିବ ନାହିଁ। ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହଁ ହେବ। ପୁରୀ ଠାରୁ ଏହା ପ୍ରାୟ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ।