ନିର୍ବାଚନ କମିଶନ ପକ୍ଷଭୁକ୍ତ ହୁଅନ୍ତୁ ନାହିଁ: ବିଜେପି

ଭୂବନେଶ୍ୱର, (ସାକ୍‌ସୀ ନ୍ୟୁଜ୍‌)ତା.୦୯/୦୨: ରାଜ୍ୟରେ ପୌରାଂଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରୀ କରିଛନ୍ତି । ଯାହାକି “ରାଜ୍ୟ ମ୍ୟୁନିସିପାଲ କର୍ପୋରେସନ ଆଇନ-୨୦୦୩”କୁ ସଂପୂର୍ଣ୍ଣ ଉଲ୍ଲଂଘନ କରିଛି ।ଧାର୍ଯ୍ୟ ଆଇନକୁ ଖିଲାପ କରି ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କ’ଣ ? ନିର୍ବାଚନ କମିଶନ ଏଭଳି ଅହେତୁକ ଅନୁକଂପା ପ୍ରଦର୍ଶନ କରିବା ପଛରେ ରହସ୍ୟ କ’ଣ ? ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ କି ବୋଲି ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ନିରବତା ମଧ୍ୟ ସନ୍ଦେହ ସୃଷ୍ଟି କରିଛି ।

ବିଜ୍ଞପ୍ତି ଅନୁଯାୟୀ ପ୍ରାଥମିକ ଭୋଟର ତାଲିକା ଆସନ୍ତା କାଲି ୧୦ ତାରିଖ ଦିନ ପ୍ରକାଶ ପାଇବ । ଭୋଟରଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଲିକାରେ ଥିବା କୌଣସି ତୃଟି ବା ଅଭିଯୋଗ ଏବଂ ଏହାର ସମାଧାନ ପାଇଁ ସମୟ ସୀମା ନିର୍ଦ୍ଧାରଣ ହେଇଛି । ମାତ୍ର ଆଗାମୀ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଅଭିଯୋଗ ଦାଖଲ ସମୟ ସୀମା ୧୦ ଦିନରୁ ହ୍ରାସ କରାଯାଇ ୬ ଦିନ (ଫେବୃୟାରୀ ୧୧ ରୁ ୧୬ ତାରିଖ) କରାଯାଇଛି । ସେହିପରି ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ନିୟମ ମୁତାବକ ଧାର୍ଯ୍ୟ ୩ ଦିନକୁ ହ୍ରାସ କରାଯାଇ ମାତ୍ର ଗୋଟିଏ ଦିନ (ଫେବୃୟାରୀ ୧୮) ପାଇଁ କରାଯାଇଛି । ଏହି ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତୃଟିକୁ ଅନୁଧ୍ୟାନ କରି ସଂଶୋଧନ ପାଇଁ ଆବେଦନ କରିବା ଆଦୌ ସମ୍ଭବ ନୁହେଁ ।ତେଣୁ ସାଧାରଣ ଭୋଟରଙ୍କ ମୌଳିକ ଅଧିକାର ଓ ସ୍ୱାର୍ଥ ଦୃଷ୍ଟିରୁ ତରବରିଆ ଭାବେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରୀ କରିବାକୁ ବିଜେପି ତରଫରୁ ଗତ ୫ ତାରିଖ ଦିନ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରାଯାଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା କୌଣସି ତତ୍ପରତା ପ୍ରକାଶ ନପାଇବା କାରଣରୁ ଆଜି ରାଜ୍ୟ ବିଜେପି ତରଫରୁ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।

ସାଧାରଣରେ ଭୋଟରଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇ ନିର୍ବାଚନ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ । ଭୋଟରମାନଙ୍କୁ ଭୋଟଦାନରୁ ବଂଚିତ କରିବାର ଅଧିକାର କାହାକୁ ଦିଆଯାଇନାହିଁ । କିନ୍ତୁ ରାଜ୍ୟରେ ଶାସକ ବିଜେଡିର ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇ ପୌର ନିର୍ବାଚନ ଅନୁଷ୍ଠିତ କରାଯାଉଛି । ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ କରୁଛନ୍ତି । ଭୋଟର ତାଲିକାରେ ବ୍ୟାପକ ଚଂଚକତା କରିଶାସକ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ନିର୍ବାଚନ କମିଶନ । ଏହା ଦ୍ୱାରା ବହୁ ସଂଖ୍ୟାରେ ସାଧାରଣ ଭୋଟର ସେମାନଙ୍କ ମୌଳିକ ଅଧିକାର ଭୋଟଦାନରୁ ବଂଚିତ ହେବେ । ସୀମା ନିର୍ଦ୍ଧାରଣ, ଠିକଣା ପରିବର୍ତନ ଆଦି କାରଣରୁ ତାଲିକାରୁ ବାଦ୍‌ ପଡିଥିବା ଭୋଟରମାନେ ଅଭିଯୋଗ ପାଇଁ ସମୟ ନପାଇ ଭୋଟଦାନରୁ ବଂଚିତ ହେବେ ।ବିଶେଷ ଭାବେ ଭୂବନେଶ୍ୱର ମହାନଗର ସମେତ କଟକ ଓ ବ୍ରହ୍ମପୁର ମହାନଗର ନିଗମ ଅଧିନରେ ଥିବା ବହୁ ସଂଖ୍ୟାରେ ଭୋଟର ସେମାନଙ୍କ ଗଣତାନ୍ତ୍ରୀକ ଅଧିକାର ଭୋଟ ଦାନରୁ ବଂଚିତ ହେବେ । ଏହି କାରଣରୁ ଭୂବନେଶ୍ୱର ଭଳି ବୁଦ୍ଧିଜୀବି ସହରରେ ମଧ୍ୟ ଭୋଟଦାନ କ୍ରମାଗତ ହ୍ରାସ ପାଇ ୩୫-୪୦ ପ୍ରତିଶତ ଭିତରେ ରହୁଛି । ଏହା ନିଶ୍ଚିତ ଭାବେ ଗଣତନ୍ତ୍ରର ହତ୍ୟା ଏବଂ ରାଜ୍ୟରେ ଶାସକ ବିଜେଡି ନିର୍ବାଚନ କମିଶନଙ୍କୁ ବ୍ୟବହାର କରି ସାଧାରଣ ଭୋଟରଙ୍କୁ ତାଙ୍କ ମୌଳିକ ଭୋଟଦାନରୁ ବଂଚିତ କରୁଛନ୍ତି ।

*ସାଧାରଣରେ ଭୋଟରଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇ ନିର୍ବାଚନ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ
*ଭୋଟରମାନଙ୍କୁ ଭୋଟଦାନରୁ ବଂଚିତ କରିବାର ଅଧିକାର କାହାକୁ ଦିଆଯାଇନାହିଁ
*ଭୋଟର ତାଲିକାରେ ବ୍ୟାପକ ଚଂଚକତା କରି ଶାସକ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ନିର୍ବାଚନ କମିଶନ
*ସୀମା ନିର୍ଦ୍ଧାରଣ, ଠିକଣା ପରିବର୍ତନ ଆଦି କାରଣରୁ ତାଲିକାରୁ ବାଦ୍‌ ପଡିଥିବା ଭୋଟରମାନେ ଅଭିଯୋଗ ପାଇଁ ସମୟ ନପାଇ ଭୋଟଦାନରୁ ବଂଚିତ ହେବେ
*ଶାସକ ବିଜେଡି ନିର୍ବାଚନ କମିଶନଙ୍କୁ ବ୍ୟବହାର କରି ସାଧାରଣ ଭୋଟରଙ୍କୁ ତାଙ୍କ ମୌଳିକ ଭୋଟଦାନରୁ ବଂଚିତ କରୁଛନ୍ତି
*ସାଧାରଣ ଭୋଟରଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ନିର୍ବାଚନ କମିଶନ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନୂତନ ବିଜ୍ଞପ୍ତି ପ୍ରକାଶ କରନ୍ତୁ
*ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଏବଂ ଶାସକ ବିଜେଡିର କୁଚକ୍ରାନ୍ତକୁ ନେଇ ଭାରତୀୟ ଜନତା ପାର୍ଟୀ ଆନ୍ଦୋଳନ ଜରିଆରେ ଓଡିଶାବାସୀଙ୍କୁ ଅବଗତ କରାଇବ

ଏଭଳି ଅଗଣତାନ୍ତ୍ରୀକ ଏବଂ ଅସାମ୍ବିଧାନିକ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ସାଧାରଣ ଭୋଟରଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ନିର୍ବାଚନ କମିଶନ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନୂତନ ବିଜ୍ଞପ୍ତି ପ୍ରକାଶ କରନ୍ତୁ । ନଚେତ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଏବଂ ଶାସକ ବିଜେଡିର କୁଚକ୍ରାନ୍ତକୁ ନେଇ ଭାରତୀୟ ଜନତା ପାର୍ଟୀ ଆନ୍ଦୋଳନ ଜରିଆରେଓଡିଶାବାସୀଙ୍କୁ ଅବଗତ କରାଇବ ।

ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ,ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ଓ ଠାକୁର ରଣଜିତ୍‌ ଦାସ,ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୂବନାନନ୍ଦ ତ୍ରିପାଠୀ, ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ନିର୍ବାଚନ କମିଶନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତର ମିଳିନଥିଲା । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।