ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଦେଶର ପ୍ରଥମ ସହର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଯେଉଁଠି ଟ୍ୟାପ୍‌ରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇବେ ଲୋକେ। ଏଥିପାଇଁ ପୂର୍ବ ପରି ଆଉ ପିଇବା ପାଣିକୁ ଷ୍ଟୋର କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର କରିବା ମଧ୍ୟ ଆବଶ୍ୟକ ନାହିଁ। ବିଶ୍ୱର କେବଳ ବଡ଼ ବଡ ସହରମାନଙ୍କରେ ଏଭଳି ସୁବିଧା ମିଳେ। ଏହାଦ୍ୱାରା ପୁରୀର ଅଢେଇ ଲକ୍ଷ ଜନସାଧାରଣ ଓ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହେବେ।

ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡ଼ିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ ଟ୍ୟାପ୍‌ରେ ଭଲ ପିଇବା ପାଣି ମିଳିଲା। ସିଧା ଟ୍ୟାପ୍‌ରୁ ପାଣି ଆଣି ପିଇପାରିବେ। ଆଗପରି ପାଣି ଷ୍ଟୋର ବା ଫିଲ୍‌ଟର କରିବାକୁ ପଡ଼ିବନାହିଁ। ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ। ସାରା ଦେଶରେ ଡ୍ରିଙ୍ଗ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ। ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ। ଆମର ମେଟ୍ରୋ ସହରମାନଙ୍କରେ ମଧ୍ୟ ଏହି ସୁବିଧା ନାହିଁ। ଏହି ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ୍‌, ନ୍ୟୁୟାର୍କ, ସିଙ୍ଗପୁର ଆଦି ବିଶ୍ୱର ବଡ ବଡ ସହର ଲିଗରେ ସାମିଲ ହୋଇପାରିଛି। ଏହା ସମସ୍ତଙ୍କ ପାଇଁ ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି-“୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ ଡ୍ରିଙ୍କିଙ୍ଗ ଫ୍ରେମ୍‌ ଟ୍ୟାପ୍‌ ସୁବିଧା ମିଳିବ। ପୁରୀକୁ ପ୍ରତିବର୍ଷ ଆସୁଥିବା ୨ କୋଟି ପର୍ଯ୍ୟଟକ ମଧ୍ୟ ଏହି ସୁବିଧା ପାଇପାରିବେ। ସେମାନଙ୍କୁ ଆଉ ପାଣି ବୋତଲ ଧରି ବୁଲିବାକୁ ପଡ଼ିବନାହିଁ। ଏହି ପ୍ରକଳ୍ପରେ ବଡ଼ଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ବିଶୁଦ୍ଧ ପାଣି ମିଳିବାର ବ୍ୟବସ୍ଥା କରାଯାଉଛି। ୫ଟିର ଏହା ହେଉଛି ଶ୍ରେଷ୍ଠ ମଡେଲ। ଭଲ ପିଇବା ପାଣିର ସ୍ୱାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି। ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ କରନ୍ତୁନାହିଁ। ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି। ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି।”

କାର୍ଯ୍ୟକ୍ରମର ପରିକଳ୍ପନା ଓ ରୂପାୟନ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି-“୨୦୧୯ ମେ ୩ ତାରିଖରେ ପୁରୀରେ ଫୋନି ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ତା’ପରେ ମେ ୫ ତାରିଖ ଦିନ ପୁରୀରେ ପହଞ୍ଚି ଥିଲି। ପୁରୀର ଅବସ୍ଥା ଦେଖି ଗଭୀର ଭାବରେ ଦୁଃଖିତ ହୋଇଥିଲି। ସେହିଦିନ ହିଁ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାକୁ ଘୋଷଣା କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗରୁ ଶ୍ରୀକ୍ଷେତ୍ର ଯୋଜନା ଭଲ ଭାବରେ ଆଗେଇ ଚାଲିଛି। ସମସ୍ତଙ୍କ ସହଯୋଗରେ ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ। ସୁଜଳ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥୀ ଭାବରେ ମିଶନ ଶକ୍ତିର ମା’ମାନଙ୍କର ଗୁରୁଦାୟିତ୍ୱ ରହିଛି।”

ଲୋକାର୍ପଣ କାର୍ଯ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଂକର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।