ଡ଼ଙ୍ଗା ବୁଡି ଘଟଣା: ଶବ ଖେଳୁଛି ଲୁଚକାଳି

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପାଲ୍ଲୀ ପଞ୍ଚାୟତ ପୁଟୁମପାଲି ନିକଟସ୍ଥ ପୋଟେରୁ ନଦୀରେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ନିଖୋଜ ହେବାର ୩ ଦିନ ପରେ ନଦୀରେ ଯନ୍ତ୍ରୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ୩ କିମି ଦୂର ଗୋରଖପାଲ୍ଲୀ ଗ୍ରାମ ନଦୀ ମୁହାଣରେ ଠାବ ହୋଇଥିଲା । ଶବ ଠାବ ହେବା ପରେ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ସେହି ସ୍ଥାନରେ ପହଂଚି ଥିଲେ । କିନ୍ତୁ, ଉଦ୍ଧାର ପୂର୍ବରୁ ପୁଣି ଥରେ ମୃତଦେହ ପ୍ରବଳ ଜଳ ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲା ।

ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳ ସ୍ରୋତ ପ୍ରବଳ ଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଶବ ଉଦ୍ଧାର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶବ ଅଗ୍ନିଶମ କର୍ମଚାରିଙ୍କ ସହ ଲୁଚ କାଳି ଖେଳୁଛି । ସୂଚନାଯୋଗ୍ୟ, ପଡ଼ିଆ ବ୍ଲକ ଅନ୍ତର୍ଗତ ପୁଟୁମପଲ୍ଲୀ ନଦୀ ଘାଟରେ ଡ଼ଙ୍ଗା ବୁଡ଼ି ବ୍ରିଜ କାମ କରୁଥିବା ଠିକା ସଂସ୍ଥାର କନିଷ୍ଠ ଯନ୍ତ୍ରୀ କୈଳାସ ସାହୁ ନିଖୋଜ ହୋଇଥିଲେ । ଡ଼ଙ୍ଗାରେ ପେଣ୍ଡୁଲୁବାଇ ଗାଁରୁ ପୁଟୁମପଲ୍ଲୀ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିବାରୁ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଥିଲେ ।