ଚାଷୀ ଅଖିମୁଠି ଅନୁକୂଳ; ଆଜି ପବିତ୍ର ଅକ୍ଷୟ ତୃତୀୟା

ଭୁବନେଶ୍ୱର : ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ, ଯାହାକି ଆଜି ପବିତ୍ର ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ମହାନ ପବିତ୍ର ପର୍ବ । ଅକ୍ଷୟତୃତୀୟାରେ ଅଖିମୁଠି ଅନୁକୂଳର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷାରେ ଅନିୟମିତତା ଦେଖାଯାଉଛି ଏବଂ ଧାନ ଚାଷ ସମୟ ବି ଘୁଞ୍ଚି ଘୁଞ୍ଚି ଯାଉଛି। ହେଲେ ଚାଷୀ କିନ୍ତୁ ଏହି ପରମ୍ପରାକୁ ଧରି ଆଗକୁ ବଢ଼ୁଛି। ଏହିଦିନ କୃଷକମାନେ ଭଲ ତିଥ୍ ଓ ସମୟ ଯୋଗ ଦେଖ୍ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି।

ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି । କୃଷି ଓ କୃଷକଙ୍କୁ ଉପଯୁକ୍ତ ସମ୍ମାନ ଦେବା ତଥା ସମସ୍ତ ଚାଷୀ ଭାଇମାନଙ୍କୁ ଉତ୍ସାହିତ କରିବା ହେଉଛି ‘କୃଷକ ଦିବସ’ ପାଳନର ମୂଳ ଉଦେଶ୍ୟ।


ସେହିପରି, ଓଡ଼ିଶାର ପୂରପଲ୍ଲୀରେ କୃଷକମାନେ ‘ଅକ୍ଷୟ ତୃତୀୟା‘ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି। ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।’