ପାଟଣାଗଡ ଗଣହତ୍ୟା : ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ

ପାଟଣାଗଡ(ଏସ୍ ନ୍ୟୁଜ): ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ହୋଇଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ପ୍ରମାଣ ପାଇନି ପୋଲିସ । ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ପାଇ ପରିବାରର ଅନ୍ୟ ୫ ପୁଅ ପହଞ୍ଚିବା ପରେ ଏହା ପଛର କାରଣ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ହତ୍ୟା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଆଜି ପହଞ୍ଚିଥିବା ୫ ପୁଅ ଅଟକ ଥିବା ୨ ଜଣଙ୍କୁ ଚିହ୍ନିଥିବା କହୁଛନ୍ତି । ଅଟକ ଥିବା ୨ ଜଣଙ୍କ ସହ ପୂର୍ବରୁ ଶତ୍ରୁତା ଥିବା ୫ ପୁଅ କହିଛନ୍ତି । ପରିବାରର ବଡପୁଅ ମଧ୍ୟ କିଛିଦିନ ତଳେ ହତ୍ୟାର ଶିକାର ହୋଇଛନ୍ତି ।

ତେବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ କୁସୁମପଡ଼ାରେ ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିଲା । ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଥିଲା। ସେ ପେଶାରେ ମହୁ ବିକାଳିଥିଲେ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ। ଚୁଡ଼ି ଓ ମହୁ ବିକି ପରିବାର ପୋଷୁଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ମୂଳପୋଛ କରିବା ପାଇଁ କିଏ ଓ କାହିଁକି ଏପରି ଅମାନବୀୟ କାଣ୍ଡ ଘଟାଇଥଲା, ସେ ନେଇ ତଦନ୍ତ କରୁଛି ପୁଲିସ୍‌।

ସୂଚନାଯୋଗ୍ୟ, ମୃତକଙ୍କ ମଧ୍ୟରେ ଅଛନ୍ତି ଘରର ମୁରବୀ କୁହାଯାଉଥିବା ୫୦ ବର୍ଷୀୟ ବୁଲୁ ଜାନୀ, ୩୮ ବର୍ଷୀୟା ପତ୍ନୀ ଜ୍ୟୋତି, ୧୨ ବର୍ଷୀୟା ଝିଅ ସରିତା, ୩ ବର୍ଷର ଝିଅ ଶ୍ରୀୟା, ୫ ବର୍ଷୀୟ ପୁଅ ଭୀଷ୍ମ ଏବଂ ୨ ବର୍ଷୀୟ ପୁଅ ସଂଜୀବ। ଏମାନେ ମୂଳତଃ ବିହାରର, କିନ୍ତୁ ପ୍ରାୟ ୧୦ ବର୍ଷ ହେଲାଣି ପାଟଣାଗଡ଼ରେ ସ୍ଥାୟୀ ଭାବେ ରହିଆସିଛନ୍ତି।