କରୋନା ମୁକାବିଲା ଲାଗି ୭ ରାଜ୍ୟ ସହ କଥା ହେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଳୀ : ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ହେଲେ ଏବେବି ୭ଟି ରାଜ୍ୟରେ ଏହି ସଂକ୍ରମଣ ଅଧିକ ହେଉଛି । ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କରୋନା ମୁକାବିଲା ପାଇଁ ୭ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ କେଉଁଭଳି ଭାବରେ କରୋନା ମୁକାବିଲା କରିହେବ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ହର୍ଷବର୍ଦ୍ଧନ ।

ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ଏବଂ ଗୋଆର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହିତ ଏହି ଆଲୋଚନା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧି, ଅଧିକ ସଂକ୍ରମଣ ରହିଥିବା ସ୍ଥାନ ମାନଙ୍କରେ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ ଏକତ୍ରୀକରଣ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ହର୍ଷବର୍ଦ୍ଧନ । କରୋନା ପରିଚାଳନା ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ୨୪, ୪୮ ଓ ୭୨ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା କମ କରିବା ପାଇଁ ହର୍ଷବର୍ଦ୍ଧନ ପ୍ରସ୍ତାବ ଦେଇଛନ୍ତି ।

ଏଠାରେ ସୂଚନାଥାଉକି ,ମହାରାଷ୍ଟ୍ରରେ ମୃତ୍ୟୁ ହାର ୨.୬ ପ୍ରତିଶତ ରହିଥିବା ବେଳେ କେବଳ ମୁମ୍ବାଇରେ ଏହା ୩.୫ ପ୍ରତିଶତ ରହିଛି । ଉତ୍ତରାଖଣ୍ଡରେ ମୃତ୍ୟୁହାର ୧.୬୪ ପ୍ରତିଶତ ରହିଛି । ସେହିପରି ମଣିପୁର ଏବଂ ମିଜୋରାମରେ ପଜିଟିଭିଟି ହାର ଦିନକୁ ଦିନ ଦ୍ୱିଗୁଣିତ ହେବାରେ ଲାଗିଛି । ତ୍ରିପୁରା ଏବଂ ମେଘାଳୟରେ ୪୫-୬୦ ବର୍ଷ ବୟସ ବର୍ଗରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।