୯ ଜିଲାକୁ କୁଆପଥର ବର୍ଷା ସତର୍କତା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା ଏବଂ ପୁରୀ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଦିଆଯାଇଛି।

ଗୁରୁବାର ଭୋରୁ ବାଲେଶ୍ବର, ଯାଜପୁର ଏବଂ ଗୋପାଳପୁର ଅଞ୍ଚଳରେ ଘନ କୁହୁଡି ହୋଇଥିଲା। ରାତି ତାପମାତ୍ରା ବୃଦ୍ଧି ପାଇବା ହେତୁ ସମସ୍ତ ସ୍ଥାନରେ ପାରଦ ୧୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଦାରିଙ୍ଗବାଡିରେ ୧୦ ଡିଗ୍ରୀ, ଫୁଲବାଣୀରେ ୧୦.୭ ଡିଗ୍ରୀ, ଭୁବନେଶ୍ବରରେ ୧୮ ଡିଗ୍ରୀ ଏବଂ କଟକରେ ୧୭.୫ ଡିଗ୍ରୀ ପାରଦ ରହିଛି। ପାଣିପାଗ ବିଭାଗର ଆକଳନ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ୩ ରୁ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ସ୍ବାଭାବିକଠାରୁ ତାପମାତ୍ରା ଖସି ଆସିବା ଦ୍ବାରା ଶୀତ ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି।