୧୯ ଜିଲ୍ଲାରେ ପ୍ରବଳ ବର୍ଷା; ଆହୁରି ଦୁଇ ଦିନ ଛେଚିବ

ଭୁବନେଶ୍ବର : ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ପୁରୀରେ ସର୍ବାଧିକ ୬୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୫୭.୬, ବାଲେଶ୍ୱର ୪୨.୬ ଏବଂ ଗୋପାଳପୁରରେ ୩୫.୮ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି।

ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆହୁରି ଦୁଇ ଦିନ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ୨୫ ରୁ ୩୧ ତାରିଖ ଭିତରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାଇ, ଆଜି ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ରାଇରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, ବୌଦ୍ଧ, ନୟାଗଡ଼,ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଏହି ସବୁ ଜିଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।