ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର-ଓଡିଶା ସୀମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ସମୟରେ ଆନ୍ଧ୍ର ପ୍ରଦେଶ ଆନ୍ନାଭରମ ଗ୍ରାମର ଏମ. ବାଲୁ ଏକ ଗାଡିରେ ଯାଉଥିବା ସମୟରେ ପୋଲିସ ଏହାକୁ ଅଟାଇଥିଲା । ପରେ ସନ୍ଦେହ ହେବାରୁ ଗାଡିଟିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ପୋଲିସ । ତଦନ୍ତ ପରେ ଗାଡିରୁ ୧୫୦୦ କିଲୋଗ୍ରାମ ଗଞ୍ଜେଇ ବାହାରିଥିଲା ଯାହାର ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି । ଏହିସବୁ ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆନ୍ଧ୍ର ପ୍ରଦେଶର ରାଜମେନ୍ଦ୍ରୀକୁ ଚୋରା ଚାଲାଣ କରାଯାଉଥିଲା । ଗଞ୍ଜେଇ କାରବାର ଘଟଣାରେ ସଂପୃକ୍ତ ଥିବା ଆନ୍ଧ୍ର ପ୍ରଦେଶର ଏମ. ବାଲୁ ନାମକ ଏହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।