ମେ’ ମାସରେ ଓଡିଶାକୁ ମାଡି ଆସୁଛି ବାତ୍ୟା

ଭୁବନେଶ୍ୱର: ପୁଣି ମେ’ ମାସରେ ଓଡିଶା ପାଇଁ ବଢିଛି ବାତ୍ୟାର ଭୟ । ଦକ୍ଷିଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଲଘୁଚାପ, ଯାହା ଆଗକୁ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଏବେଠୁ ଇସାରା କରୁଛନ୍ତି । ତେବେ ଏହି ବାତ୍ୟା ଆନ୍ଧ୍ର-ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି । ତେବେ ଏହି ବାତ୍ୟା ୨୦୧୯ ମସିହାରେ ହୋଇତିବା ଫନି ବାତ୍ୟାଠାରୁ ବି ଅଧିକ ଭୟଙ୍କର ହୋଇପାରେ ବୋଲି ଆଶଙ୍କା ରହିଛି ।

ପ୍ରଳୟଙ୍କରୀ ବାତ୍ୟା ଫନିକୁ ୪ ବର୍ଷ ପୂରିବାକୁ ଯାଉଥିବା ବେଳେ ପୁଣି ଚଳିତବର୍ଷ ମେ’ ମାସରେ ଆଉ ଏକ ବାତ୍ୟା ହେବାର ଆକଳନ ହୋଇଛି । ଦକ୍ଷିଣ ବଙ୍ଗୋପସାଗରର ଲଘୁଚାପ ଏହି ଆଶଙ୍କାକୁ ବୃଦ୍ଧି କରୁଥିବା ବେଳେ ଆଉ ସପ୍ତାହେ ଭିତରେ ଏହାର ସମ୍ପୂର୍ଣ୍ଣ ସ୍ପଷ୍ଟ ସୂଚନା ମିଳିପାରିବ । ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ଘନୀଭୂତ ହୋଇ ଅବପାତର ମଧ୍ୟ ରୂପ ନେଇପାରେ ବୋଲି କୁହାଯାଇଥିଲା । କିନ୍ତୁ କେବେ ଏହି ଲଘୁଚାପ ଘନୀଭୂତ ହେବ କିମ୍ବା ବାତ୍ୟାର ରୂପ ନେବ ସେ ନେଇ ଭାରତୀୟ ପାଣିପାଗ ସଠିକ ସୂଚନା ଦେଇନି । ତେବେ ଆନ୍ଧ୍ର-ଓଡିଶା ଉପକୂଳରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ସହ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।